Unknown

ବନ୍ଦନିକା

ଶ୍ରୀମତୀ ବିଦ୍ୟୁତ୍‌ପ୍ରଭା ଦେବୀ

 

ମୁଖବନ୍ଧ

ଆଧୁନିକ ଓଡ଼ିଆ କବିତା ରଚନାରେ ଯେଉଁ କେତେ ଜଣ ନାରୀକବି କୃତିତ୍ୱ ଅର୍ଜ୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ଶ୍ରୀମତୀ ବିଦ୍ୟୁତ୍‌ପ୍ରଭା ଜଣେ । ଓଡ଼ିଆ ସାହିତ୍ୟ-ଆକାଶରେ ବିଦ୍ୟୁତ୍‌ଛଟାର ଉଦୟ ଅତି ଅଳ୍ପ ଦିନ ହେଲା ହୋଇଅଛି; ମାତ୍ର ତାର ଉଜ୍ଜ୍ୱଳ ବିଭାରେ ସେହି ଆକାଶର ଗୋଟିଏ କୋଣ ଉଦ୍ଭସିତ । ଶରଦଶସ୍ୟର ଚଞ୍ଚଳ ହିଲ୍ଲୋଳ, ନିଝରିଣୀର ସ୍ୱାଧୀନ ପ୍ରବାହ, ସବୁଜ ବନର ରହସ୍ୟମୟ ମର୍ମରବାର୍ତ୍ତା ଘେନି ଆସିଛି ବିଦ୍ୟୁତର କବିତା । ଗାଇଛି ନବୀନ ପ୍ରତିଭାର ମାଙ୍ଗଳିକ, କୋକିଳ ଯେପରି ନବବସନ୍ତର ଆଗମନୀ ଗାଏ । ଜଣାଇଛି ବୈଚିତ୍ର୍ୟମୟୀ ପ୍ରକୃତିର ସୌନ୍ଦର୍ଯ୍ୟାନନ୍ଦ, ବିସ୍ତୃତ ଜୀବନର କଳ-ମଧୁର ଆବେଦନ । ଆମ୍ରମଞ୍ଜରୀମାଳରେ ଭୃଙ୍ଗ ପରି କବିତାରେ ହଜିଯାଏ ରୂପପାୟୀର ଚିତ୍ତ । ଏ କବିତା ଏକ ନବୀନ ପୁଷ୍ପର ଆମୋଦ, ଏକ ନବୀନ ପକ୍ଷୀର କାକଳି ।

 

କବିଙ୍କ ପ୍ରକୃତିପ୍ରେମ କେବଳ ପରମ୍ପରାର ଅନୁସରଣ ବା ଅନୁକରଣ ନୁହେଁ, ଏହା ତାଙ୍କ ନିଜସ୍ୱ ମାଧରୀରେ ମନୋହର । ସେ ଲେଖିଛନ୍ତି-

 

ମଧୁମଳୟର ମଦିର ପରଶେ ବିହ୍ୱଳ ତରୁଲତା

ସପନ-ବିଭୋର ବନକେତକୀର ନିମୀଳିତ ଆଖିପତା ।

ନିଭୃତ ଆଜି ରସାଳକୁଞ୍ଚେ ମଳୟ ମାରୁଚି ତାଳି

ଝରା ମାଧବୀର ସ୍ନିଗ୍‌ଧ ତଳପେ ଶୋଇଚି ଚଇତବାଳୀ ।

*            *            *

 

ଝରାଇ ଲାବଣ୍ୟଝରା            ହସନ୍ତି ଦୁଇଟି ତରା

ପରସ୍ପରେ ହୋଇ ଚାହାଁଚୁହିଁ

ଅଣାୟତେ ଆଜି ଯେହ୍ନେ            ସଞ୍ଜର ଏ ରୂପାୟନେ

ହଜିଅଛି ନିଜ ମଧ୍ୟେ ମୁହିଁ ।

 

ପଲ୍ଲୀପ୍ରକୃତି-ବର୍ଣ୍ଣନା ସ୍ୱାଭାବିକତାରେ ଅଲୌକିକ । ନଗଣ୍ୟ ତୃଣ ମଧ୍ୟ ଲେଖନୀର କୁହୁକରେ ବୁକର ମମତା ଆକର୍ଷଣ କରେ-

ଏକାନ୍ତ ଆପଣା ସମ ଗୁଗୁଚିଆ କାହିଁ

ଅଜଟ ଶିଶୁଟି ପରି କାନି ଛାଡ଼ୁନାହିଁ ।

 

ପଲ୍ଲୀ ପ୍ରକୃତି ପଲ୍ଲୀର ଏକ ଅଲିଅଳ ଝିଅର ମଧୁର ଚେହେରା ମନେ ପକାଇଦିଏ-

ବଟା ବନହଳଦୀରେ ଲେପି ସାରା ଦିହ

ଧରଣୀରେ ହସିଲାଣି ମଗୁଶିର ଝିଅ ।

 

‘ସବୁଜ ପ୍ରୀତି’ ପଲ୍ଲୀକବି ନନ୍ଦକିଶୋରଙ୍କ କବିତା ସ୍ମୃତିପଟରେ ଜାଗ୍ରତ୍‌ କରାଏ-

ଝଡ଼ିଆ ପାଗେ ‘ବନା’ ପଖିଆ ମୁଣ୍ଡେ ବିଲରୁ ବାଛୁଥିଲେ ଘାସ

କାନ୍ଦୁରା ବନ ତୋଟା ଶ୍ରବଣ ଡେରି ଶୁଣନ୍ତି ‘ସୀତାବନବାସ’ ।

 

ଦୁଃଖିନୀ ବିଧବା ଭଉଣୀଟି ପ୍ରତି ମନର ମମତା-ଅଶ୍ରୁ ପଡ଼ିଛି ଝରି । ରିକ୍‌ସାବାଲାର ଦୁଃଖରେ କବି ହୋଇଛନ୍ତି ଆତ୍ମହରା । ଲକ୍ଷ ଲକ୍ଷ ଦୀନଦୁଃଖୀ ପୀଡ଼ିତ ପେଷିତ ତାଙ୍କ ଅନ୍ତରରେ ତୋଳିଛନ୍ତି କରୁଣ ରାଗିଣୀ । ସେଠି କବି ପ୍ରକୃତିର ସ୍ତାବକ ନ ହୋଇ ହୋଇଛି ମଣିଷର ପୂଜାରୀ । ଜ୍ୟୋତ୍ସ୍ନା ଅପେକ୍ଷା ହୋଇଛି ଅନ୍ଧକାର ବଡ଼, ଯେ ତାର ପ୍ରସାରିତ ବକ୍ଷରେ ଲକ୍ଷ ଲକ୍ଷ ଦୁର୍ଭାଗ୍ୟଙ୍କୁ ଆଶ୍ରୟ ଦିଏ । ହାସ୍ୟ ଅପେକ୍ଷା ହୋଇଛ ଅଶ୍ରୁ ବଡ଼, ଯେ ଦୁଃଖୀର ବେଦନାକୁ ଧାରା ଦିଏ।

 

କବି ଲେଖିଛନ୍ତି-

ହଜିଅଛି ଓଠୁଁ ଚିରଦିନ ଯାର ହାସ

ଭାବିଛ କି ଦିନେ ତା କରୁଣ ଇତିହାସ ?

*            *

ରକତ ଢାଳେ ଯେ ପାସୋରି ଆପଣା ସୁଖ

ତା ପାଇଁ ତୁମରି ଲେଖନୀ ରହିଲା ମୂକ ?

 

ଦିନେ ତ ତାହାରି ନୁଆଁଣି କୁଟୀରେ ଚାହିଁ

ଜନସମ୍ମୁଖେ ପଦିଏ ଗାଇଲ ନାହିଁ ?

ନିଃସ୍ୱର ଯେଉଁ ଚିନ୍ତାରେ ନାହିଁ ଥାନ

ବିଶ୍ୱରୁ ବେଗେ ମରୁ ସେ କବିର ଗାନ ।

 

ବିଦ୍ୟୁତର ଛନ୍ଦ ବିଦ୍ୟୁତ୍‌ ପରି ପ୍ରାଣରେ ସ୍ପନ୍ଦନ ଆଣେ, ତାର ଭାଷା ସହଜ, ସରସ ଓ ସାବଲୀଳ ।

 

କବି ଅଳ୍ପ ଦିନ ମଧ୍ୟରେ ୬ ଖଣ୍ଡି କବିତାପୁସ୍ତକ ଉତ୍କଳଭାରତୀଙ୍କୁ ଉପହାର ଦେଇ ସାରିଲେଣି । ତାଙ୍କ ପ୍ରାଚୁର୍ଯ୍ୟପ୍ରସୂ ଲେଖନୀରୁ ଦେଶ ବହୁତ କିଛି ଆଶା କରେ ।

 

ଶେଷରେ କବିଙ୍କ କବିତା ବିଷୟରେ ତାଙ୍କ ନିଜ କଥାରେ ଏଇଆ କୁହାଯାଇପାରେ-

ଆଖି କହେ ଯାକୁ ସୃଷ୍ଟିରେ ଅତି ସାନ

ମନ ପାଏ ତହିଁ ବିରାଟରେ ସନ୍ଧାନ ।

ଶାନ୍ତିନିକେତନ : ତା ୧୦-୧୦-୫୦                                          କୁଞ୍ଜବିହାରୀ ଦାଶ

 

ଅଭିମତ

ଶ୍ରୀମତୀ ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ରଚିତ ‘ବନ୍ଦନିକା’ ମୁଁ ଆମୂଳଚୂଳ ପଢ଼ିଛି । ମୁଁ କବି ନୁହେଁ; ତଥାପି କବିତା ଆସ୍ୱାଦନ କରିବାର ଯେତିକି ଶକ୍ତି ଭଗବାନ୍‌ ଦେଇଛନ୍ତି, ସେତିକି ବଳରେ ମୁଁ ନିଃସନ୍ଦେହ କହିପାରେଁ ଯେ, ଶ୍ରୀମତୀ ବିଦ୍ୟୁତ୍‌ପ୍ରଭାଙ୍କ ଲେଖା ବଡ଼ ଉଚ୍ଚ ଧରଣର । ତାଙ୍କର ଆଗ ଲେଖା କେତେଗୁଡ଼ିଏ କବିତା ମୁଁ ପଢ଼ି ତାଙ୍କ ଭିତରେ ଲୁକ୍‌କାୟିତ ଥିବା କବିତ୍ୱଶକ୍ତିର କିଞ୍ଚିତ୍‌ ପରିଚୟ ପାଇଥିଲି । ‘ବନ୍ଦନିକା’ରେ ସେ ଶକ୍ତି ଆହୁରି ପରିସ୍ଫୁଟ ହୋଇଛି ।

‘ରିକ୍‌ସାବାଲା’ କବିତାରେ ‘‘ସେଥିଲାଗି ଆମେ କିରେ ଦାୟୀ’’ ଅଂଶଟି ହୃଦୟର ସୂକ୍ଷ୍ମତନ୍ତ୍ରୀରେ ଆଘାତ କରେ । ‘ସ୍ମୃତି’ କବିତାରେ ‘‘ମନେ ଖାଲି ରହିଚି ତା ବିଦାୟର ବେଦନା ବିଭୂତି’’ ଅଂଶଟି ପ୍ରକୃତରେ ଗୋଟିଏ ଅପୂର୍ବ ପୂର୍ବାଭାସର ସୂଚନା ଦିଏ । ବୃଦ୍ଧକୁ ‘‘ଗଦ୍ୟ ପଦ୍ୟମୟ ଦୀର୍ଘ ଜୀବନ-ଗ୍ରନ୍ଥର ଅସମାପ୍ତ ଉପସଂହାର’’ ବୋଲି କଳ୍ପନା କରିବା କବିତ୍ୱ ଶକ୍ତି ଛଡ଼ା ସମ୍ଭବ ହୋଇ ନ ପାରେ । ‘ବିଧବା’ କବିତାଟିରେ ‘‘କାଳର ଏ ତୀବ୍ର ଉପହାସ’’ ବୋଲି କବି ଯେଉଁ କଳ୍ପନା ଚିତ୍ରଟି ପାଠକ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି, ତାହା ଏକ ବେଳେ ଜୀବନ୍ତ । ‘ସନ୍ଧ୍ୟାଶ୍ରୀ’ କବିତାଟି ପଲ୍ଲୀର ଗୋଟିଏ ନିଖୁଣ ଶାନ୍ତିଚିତ୍ର ଫୁଟାଇ ଦେଇପାରିଛି ।

ମୋଟ ଉପରେ କବିତାଗୁଡ଼ିକ ଅତି ସୁନ୍ଦର ଓ ଲଳିତ ହୋଇଛି । ଛନ୍ଦ ମଧ୍ୟ ଅତି ସରଳ ଅଥଚ ନିଖୁଣ ।

ଶ୍ରୀମତୀ ବିଦ୍ୟୁତ୍‌ପ୍ରଭା ଯେ ଦିନେ କୁନ୍ତଳାକୁମାରୀ ଓ ଅପର୍ଣ୍ଣାଙ୍କର ଅପୂର୍ଣ୍ଣ ଆସନ ପୂର୍ଣ୍ଣ କରିବେ, ଏଥିରେ ସନ୍ଦେହ ନାହିଁ ।

ଜଗଦ୍‌ବନ୍ଧୁ ମହାପାତ୍ର

 

କୃତଜ୍ଞତା

ଏ ପୁସ୍ତିକାରେ ସନ୍ନିବେଶିତ କବିତାଗୁଡ଼ିକ ଦେଖି ତହିଁର ନାନା ସ୍ଥାନରେ ଯଥାଯଥ ପରିବର୍ତ୍ତନ କରିବାର ସୂଚନା ଦେଇ ମୋର ପିତୃପ୍ରତିମ, କବି ଓ ସାହିତ୍ୟିକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର କର ମୋତେ ଆଜୀବନ ଋଣୀ କରିଅଛନ୍ତି । ମୁଁ ତାଙ୍କଠାରେ ଚିର କୃତଜ୍ଞ ।

 

ଉତ୍କଳର ସର୍ବଶ୍ରେଷ୍ଠ କୃତୀ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ବିମ୍ବାଧର ବର୍ମା ସ୍ୱତଃପ୍ରବୃତ୍ତ ହୋଇ ପ୍ରଚ୍ଛଦ ଚିତ୍ରଟି ଆଙ୍କି ଏହାର କଳେବରକୁ ଶୋଭନ କରାଇଅଛନ୍ତି । ମୋର ଅନ୍ୟ କବିତା ସଞ୍ଚୟନଗୁଡ଼ିକ ଭବିଷ୍ୟତରେ ତାଙ୍କର ଏହି ରୂପଦାନରୁ ବଞ୍ଚିତ ହେବ ନାହିଁ ବୋଲି ଭରସା ।

ଲେଖିକା

 

ସୂଚିକା

୧।

ଚୈତ୍ରୀ

୨।

ନରନାରୀ

୩।

ବୃଦ୍ଧ

୪।

ରିକ୍‌ସାବାଲା

୫।

ମାଟି-ଦୀପ

୬।

ସ୍ମୃତି

୭।

ଶରତ

୮।

ଗ୍ରାମପଥେ

୯।

ଅଳକାପୁରୀ

୧୦।

ନାରୀର ଚକ୍ଷୁ

୧୧।

ଭସାଣ ତରୀ

୧୨।

ଗୃହସ୍ଥାଶ୍ରମ

୧୩।

ବିଧବା

୧୪।

ସଂଧ୍ୟାଶ୍ରୀ

୧୫।

ସବୁଜ ପ୍ରୀତି

୧୬।

ଜ୍ୟୋତ୍ସ୍ନାବିହାର

୧୭।

ଉଷା

୧୮।

ଛୋଟରେ ବଡ଼

୧୯।

ବିଳାସକଳ୍ପନା

 

ଚୈତ୍ରୀ

ଶୁଭ୍ର ଚଇତ ନିଶି

ଧରଣୀର କୋଟି            ଦୂବ-ଲୋମକୂପେ

ଜ୍ୟୋତ୍ସ୍ନା ଯାଇଚି ମିଶି ।

 

ମଧୁ ମଳୟର            ମଦିର ପରଶେ

ବିହ୍ୱଳ ତରୁ ଲତା

ସପନ-ବିଭୋର            ବନ କେତକୀର

ନିମୀଳିତ ଆଖିପତା ।

 

ନିଭୃତ ଆଜି            ରସାଳ-କୁଞ୍ଜେ

ମଳୟ ମାରୁଚି ତାଳି

ଝରା ମାଧବୀର            ସ୍ନିଗ୍‌ଧ ତଳପେ

ଶୋଇଚି ଚଇତ-ବାଳୀ ।

 

ଶାନ୍ତ ନିଥର            ଚିତ୍ରଟି ପରି

ହସେ ଆଜି ଦଶଦିଶି

ଶୁଭ୍ର ଚଇତ ନିଶି ।

 

 

ସାର୍ଥକ ଆଜି            କରିଚି ଜ୍ୟୋତ୍ସ୍ନା

ଯୌବନ-ଅଧିବାସ

ପ୍ରଣୟ ଆବେଶେ            ଢୋଳେଇ ପଡ଼ୁଚି

ସମୀରେ ସବୁଜ ଘାସ ।

 

ମଳୟ ଡାକୁଚି            ସୁପ୍ତ ତମାଳେ

ଶ୍ୟାମଳ ପଣତ ଟାଣି

ଆକୁଳ କରୁଚି            ବକୁଳ-କାନନେ

କୋକିଳ କୂଜନବାଣୀ

ଖଞ୍ଜନ ସାଥେ ମଶି

ଶୁଭ୍ର ଚଇତ ନିଶି ।

 

ଲକ୍ଷ ଚଇତ            ଗଲାଣି ତ କାହିଁ

ଏଇପରି କାହୁଁ ଆସି

ପ୍ରକୃତିର ଏ            ଶାଶ୍ୱତ ଲୀଳା

ବନେ ବନେ ପରକାଶି ।

 

ମଳୟ ପରଶେ            କୁସୁମ ଗନ୍ଧେ

କୋକିଳର କୁହୁତାନେ

ଅରୂପ ତାହାର            ଇଙ୍ଗିତ ଭରି

କୋଟି ଗୁଞ୍ଜନ ଗାନେ ।

 

ନିତ୍ୟ ନବୀନ            ତା ରୂପ ଲୁଚିଚି

ଭରି ଏଇ ଦଶଦିଶି

ଶୁଭ ଚଇତ ନିଶି ।

 

ନର ନାରୀ

ବିଧିର ଯୁଗଳ ସୃଷ୍ଟି

ଶକ୍ତି-ଶିବ ଏଇ ନାରୀ-ନର

କାଞ୍ଚନେ ରସାଣ ସରି

ଜଡ଼ିତ ସେ ବେନି ପରସ୍ପର ।

 

ନର ଦୀପ, ନାରୀ ଶିଖା

ଏକ ତୂଳୀ, ଆନ ତାର ମସୀ

ସଲିଳେ କଲ୍ଲୋଳ ସମ

ଏକ ଜ୍ୟୋତ୍ସ୍ନା, ଆରେକଟି ଶଶୀ ।

 

ନର ଚାରୁ ମହୀରୁହ

ବୃନ୍ତେ ତାର ନାରୀ ପୁଷ୍ପ-ହାସ

ନରର ହୃତ୍‌ପିଣ୍ଡ ତଳେ

ନାରୀ ମୃଦୁ ପ୍ରଚ୍ଛନ୍ନ ଶୁଆସ ।

 

ଏକର ବିପଞ୍ଚୀ ତାରେ

ଆରେକଟି ମୂର୍ଚ୍ଛନାର ସମ

ବାସନ୍ତୀ ସ୍ୱାଗତେ ଯଥା

ସୁକୋମଳ କୋକିଳ ପଞ୍ଚମ ।

 

ଏକ ବାଣୀ, ଭାବ ଆନ

ଏକ ଗନ୍ଧ, ଆରେକଟି ଧୂପ

ନର ଗାଥା, ନାରୀ ଛନ୍ଦ

କାବ୍ୟେ ଯଥା ନିହିତ ଅରୂପ ।

 

ଏକ ପୁଷ୍ପ, ଆନ ବାସ

ସ୍ନାୟୁ ସଙ୍ଗେ ଯେସନେ ଶୋଣିତ

ବିଧିବରେ ହୋଇଛନ୍ତି

ବେନି ପାଶେ ବେନିଏ ଜଡ଼ିତ ।

 

ବୃଦ୍ଧ

ହେ ଜରତ !

ଦେଖିଚି ତୁମକୁ-

ଗଦ୍ୟପଦ୍ୟମୟ ଦୀର୍ଘ

ଜୀବନ ଗ୍ରନ୍ଥର

ଅସମାପ୍ତ ଉପସଂହାରରେ ।

 

ଅବସାନ-ଅଭିନୟ

ନାଟ୍ୟଶାଳା ମୁଖେ

ପତନ-ଉନ୍ମୁଖ ଶେଷ

ଯବନିକା ପାରେ ।

 

ଅନ୍ତିମ ବାସନ୍ତୀ-ଲଗ୍ନେ

ସହକାର ଶାଖେ

କ୍ଳାନ୍ତ-କଣ୍ଠ କୋକିଳର

କ୍ଷୀଣ କୁହୁତାନେ ।

 

ଅବସନ୍ନ ବଇଶାଖେ

ଅବିଚ୍ଛିନ୍ନ ମୃଦୁ ସ୍ରୋତ ଗତି

ମନ୍ଥରିତ କ୍ଳାନ୍ତ ପଦପାତେ ।

 

ସାନ୍ଧ୍ୟବାତ-ବିଧୂନିତ

ବୃନ୍ତଲଗ୍ନ ଶ୍ଲାଥ ପୁଷ୍ପବ୍ୟଥା

ଦୋଳାଚଳ ପ୍ରାଣେ ।

 

ନିସ୍ତୈଳ ନିର୍ବାଣେନ୍ମୁଖ

ପ୍ରଦୀପର କ୍ଷୀଣାୟୁ ଜ୍ୱଳନ

ବିକ୍ଷିପ୍ତ ମାନସେ ।

 

ଜୀବନର ରଣାଙ୍ଗନ

ସୁପ୍ତିମଗ୍ନ ଆଜି

ଅଙ୍ଗେ ନାହିଁ ଯୌବନର

ଅମୋଘ କବଚ

 

କରଧୃତ କରବାଳ

ଜୀର୍ଣ୍ଣ ଶାଣହୀନ

କଣ୍ଠେ ମୌନ ବଜ୍ରବାଣୀ

ପ୍ରାଣେ ମୌନ ଶୌର୍ଯ୍ୟ ଉନ୍ମଦନା

 

ତଥାପି ଆଶାୟୀ ତୁମେ

ପରିପୁଷ୍ଟ କ୍ଳାନ୍ତ ଜୀବନର

ଅଳୀକ ବିଳାସ-ସ୍ୱପ୍ନେ

ଭ୍ରାନ୍ତ ମଦେ

ନିମଜ୍ଜି ! ନିୟତ........

 

ମୋହାଚ୍ଛନ୍ନ ନେତ୍ର ବେନି

କରି ନିମୀଜିତ

ଚାହିଁ ବୃଦ୍ଧ ! ଜୀବନ-ପଶ୍ଚିମେ-

 

ଘୋଟିଆସେ ତାମସୀର

କ୍ରୂର ବିଭୀଷିକା ! ......

ବାଛିନିଅ ପଥ ଏଇ

ଅସ୍ତୋନ୍ମୁଖ ଲୋହିତ ଆଲୋକେ ।

 

ଜୀବନର ସମାପ୍ତିରେ

ଯୁକ୍ତ କରେ

ନିବେଦି ପ୍ରଣତି

 

ମିଶିଯାଅ ରଶ୍ମିସମ

ମହାତେଜା

ସହସ୍ରଂଶୁ ପଦେ ।

 

ରିକ୍‌ସାବାଲା

ଊର୍ଦ୍ଧ୍ୱେ ମେଘ ଯାଏ ଭାସି

ଗତି ରଚି ଧାଡ଼ି ପରେ ଧାଡ଼ି

ତଳେ ତାର ଜନାଜୀର୍ଣ୍ଣ

ରାଜପଥେ ଚାଲେ ରିକ୍‌ସାଗାଡ଼ି ।

 

‘‘ଚାରଣା ଜାଗାରେ ପଛେ

ଅଣା ଦୁଇ ନେଲେ ଆଉ ନବୁ

ବେଗି ବେଗି ଚଳା ଗାଡ଼ି’’-

ଏକ ଶ୍ୱାସେ କହିଲେକ ବାବୁ ।

 

ନଗରେ ଦେଶର ଏକ

ଆଧୁନିକ ପରିସ୍ଥିତି ଥୋଇ

ଦେଇଛନ୍ତି ଅବଦାନ

ନାଟକରେ ‘ରଘୁ କାନଗୋଇ’ ।

 

ଫାଟକେ ଜନତା ଭିଡ଼

ଟିକେଟ କି ମିଳଇ ସହଜେ

ଲୋକମୁଖେ ଶୁଣୁଁ ଶୁଣୁଁ

ଅନାଇଁଲେ ତିମିରିତ ସଞ୍ଜେ ।

 

ଭାରବାହୀ ପଶୁ ସମ

ଭାଷ ହୀନ ଚାଲେ ରିକ୍‌ସାବାଲା

ନିଶା ଜୋରେ ଆଖି ବେନି

ଅଧେ ବୁଜା, ଅଧେ ପୁଣି ମେଲା ।

 

ବାବୁଙ୍କର ତାଗଦାରେ

ଅଶିକ୍ଷିତ ଗାଉଁଲୀ ତା ମନ

ନେତ୍ରପଟେ ଦେଖୁଥିଲା

ବିପ୍ଳବର ଆଗ୍ନେୟ ସପନ ।

 

‘‘ମାନବ-ଜଗତେ କିପାଁ

ଏତେ ଭେଦ ହେ ବିଧାତା ତବ’’

ନିଶବଦେ କହୁ କହୁଁ

ହେଲା ସିକ୍ତ ନୟନ-ପଲ୍ଲବ ।

 

ପାଦପିଷ୍ଟ ଦୂର୍ବା ସମ

କେତେ ଦିନ ମଥାଟି ତା ନଇଁ

ବିଶ୍ୱପଥେ ବଞ୍ଚିବ ସେ

ସ୍ୱାର୍ଥହୀନ ବ୍ୟଥା ଖାଲି ସହି ?

 

ମୁନିବରେ ଦେଇ ରକ୍ତ

ଦେହ ତାର ଅସ୍ଥିଚର୍ମସାର

ଆର୍ଦ୍ର ଅଭିମାନ ଖାଲି

ପ୍ରାଣେ ବୃଥା କରେ ହାହାକାର ।

 

ଚିନ୍ତା ତାର ଭାଙ୍ଗି ବାବୁ

ଆଦେଶିଲେ ଦ୍ୱାରମୁଖେ ଚାହିଁ

‘‘ନେଇ ସାଢ଼େ ନଅଟାରେ

ଘରେ ମତେ ଦବୁ ପହଞ୍ଚାଇ ।’’

 

ଦୈତ୍ୟ ସମ ଯେତେବେଳେ

କୃଷ୍ଣନଭ ଉଠୁଚି ଚିତ୍କାରି

ଧରିଲେ ସେ ଗୃହପଥ

ଜନତାର ସ୍ରୋତ ହୋଇ ପାରି ।

 

ପଥେ ଚାଲେ ରିକ୍‌ସା ଗାଡ଼ି

କଳାରାତି ବର୍ଷଣ-ମୁଖର

ସିକ୍ତବାସ ବୃଦ୍ଧମନେ

ସୂଚୀ ବିନ୍ଧେ ବତାସୀର ସ୍ୱର ।

 

 

ପଥେ ଭାଳେ ରିକ୍‌ସାବାଲା

ପେଟେ ମୋର ଭୋଖ ଆଉ ନାହିଁ

ଗୃହେ ତେଣେ ଶିଶୁ ବେନି

ରହିଥିବେ ବାଟ ପରା ଚାହିଁ ।

 

ଗୃହିଣୀ ଅଇଲା ବେଳେ

କହିଥିଲା କରି ବହୁ ଥର

ଚାଉଳ ନେବାକୁ କିଣି !

କହେ ବାବୁ, ‘‘ହୋଇଲାଣି ଘର

 

ଅଟକା ତୋ ରିକ୍‌ସା ଏବେ ।’’

କହେ ବୃଦ୍ଧ, ‘‘ଏଇତକ ପାଇ

ଏତେ ବଡ଼ କୁଟୁମ୍ବ କି....’’

‘‘ସେଥିଲାଗି ଆମେ କି ରେ ଦାୟୀ ?’’

 

ଫୋପାଡ଼ିଲା ପରି ଏଣେ

ଘରୁ ଜଣେ ବଖାଣିଲା କିଏ

‘‘ଝକଝକଠାରୁ ତାକୁ

ଅଣାଟାଏ ଦିଅ-ଯାଉ ସିଏ ।’’

 

 

ତରୁକାନେ କହୁଥିଲା

ଝରାମେଘ କରି ହାହାକାର

‘‘ଦୁର୍ବଳର ଅସ୍ଥି ପରେ

ବଳିଷ୍ଠର ଏ କି ଅତ୍ୟାଚାର ?’’

 

ସେଦିନର ଝଡ଼କଣ୍ଠେ

କୋଟି କୋଟି ଦଳିତର ବ୍ୟଥା

ଶ୍ରାବଣର ଇତିହାସେ

ରଖିଗଲା ସେହି ଏକ କଥା

 

‘‘ସେ ପାଇଁ କି ଆମେ ଦାୟୀ-

ଅଣାଟାଏ ଦିଅ ଯାଉ ସିଏ’’

ନ ଭେଦୁଚି ଏଇ ଶେଳ

ନିତି କେତେ ନିରୀହର ଦିହେ !

 

ମାଟି-ଦୀପ

ସଂଧ୍ୟା ତାମସେ

ସ୍ନିଗ୍‌ଧ ଦୀପଟି ଜଳି

ମଉନେ ଚାହୁଁଚି

ଧିଆନୀ ବଳାକା ଭଳି

ତଇଳ-ରକ୍ତେ

ଜୀବନ ତା ପରକାଶି

ନିଶ୍ଚଳ ବାତେ

ଉଠୁଚି ସେ ଉଦ୍ଭାସି

 

 

 

 

ସଜ ତାରକିତ

ସଂଧ୍ୟା ଧରଣୀ ପାଶେ

କହଇ ଆବେଗେ

ମୃଦୁ ହାସେ ମୃଦୁ ଭାଷେ

‘‘ଚାହାଁରେ ମିତଣୀ !

ମାଟି-ଦୀପଟିର ମୁଖେ

ଜୀବନ ଦେଇଚି

ପର ପାଇଁ ଉତ୍ସୁକେ

 

 

 

 

ଆରତିର ଏ ଯେ

ମନ୍ଦ୍ର ମଧୁର ତାନ

ଭାଙ୍ଗି ପାରୁନି

ଗଭୀର ତାହାର ଧ୍ୟାନ

ଦୁଷ୍କର ତପେ

ରତ ଥିଲା ପରି ଯତି

ବିଭୁପାଦଗତେ

ଲଗ୍ନ କରିଚି ମତି

 

 

 

 

ବିଶ୍ୱସେବାର

ମୂର୍ତ୍ତି ପ୍ରତୀକ ପରି

ନିଜ ପରିସର

ଘନ ଅନ୍ଧକାରେ ଭରି

ସଳିତାର ଦାହେ

ଜୀବନକୁ କରି କ୍ଷୟ

ନୀରବେ ଜଣାଏ

ତ୍ୟାଗର ବିରାଟ ଜୟ

 

 

 

 

ଉଦ୍ଭାସି ତାର

ଉଜ୍ଜ୍ୱଳ ଶେଷ ଠାଣୀ

କହିଯାଏ ସେ ଯେ

ମହାନ ସତ୍ୟ ବାଣୀ-

ଅନ୍ତର ତଳେ

ଅମାବାସ୍ୟାର ସରି

ସଂବେଦନରେ

ଚିର ବନ୍ଦିନୀ କରି

 

 

 

 

ମାଟି ସନ୍ତାନ !

ଆପଣା ଶକତିମତେ

ଢାଳିଦିଅ ପ୍ରାଣ

ବିଶ୍ୱଜୀବନ-ପଥେ

 

ସ୍ମୃତି

ମନେ ପଡ଼େ ସେ ଦିନଟି

କାଳସ୍ରୋତେ ଗଲା ଯା ଉଭାଇ

ସ୍ମୃତି ଖାଲି ଅଛି ମନେ

ବାତାୟନେ ଥିଲି ଯେବେ ଚାହିଁ

 

ବିହାୟସେ ଥିଲା ତାରା

ଥିଲା ମଧୁ ପୂର୍ଣ୍ଣିମାର ଶଶୀ

ଶୁଚି-ଶୁକ୍ଳ ଶାଢ଼ୀ ପିନ୍ଧି

ହସୁଥିଲା ପ୍ରକୃତିରୂପସୀ

ସେ ଦିନ ଗୋ ଆଜି ଆଉ ନାଇଁ

ସ୍ମୃତି ଖାଲି ଅଛି ମନେ, ସେ ଦିନଟି ଗଲା ଆହା କାହିଁ ?

 

ମନେ ପଡ଼େ ସେ ଦିନଟି

ସେହି ମେଘମେଦୁର ଆକାଶ

କନକହାସିନୀ ଚାର

ଚପଳାର ନର୍ତ୍ତିତ ବିଳାସ

 

ଡାକିଥିଲା ଉଚ୍ଚେ ବଜ୍ର

ବହିଥିଲା ବତାସୀ ପବନ

ଦିଶୁଥିଲା କି ଭୀଷଣ

ସେ ଦିନର ଉନ୍ମତ୍ତ ଗଗନ

(ଆଜି) ସେ ପଳୟ ଘନଘଟା ନାଇଁ

ଛବି ତା ମରମେ ଖାଲି ଲେଖା ଅଛି ଏ ଜୀବନ ପାଇଁ ।

 

ମନେ ପଡ଼େ ସେ ଦିଗଟି

ଶେଷରେ ସେ ମଧୁର ଖେଳ

ଥିଲି ଯେବେ ଅତି ଶିଶୁ

ଅତି ଦୁଷ୍ଟ ଅତିହିଁ ଚପଳ

 

ରଚୁଥିଲି ଧୂଳିଘର

ଗାଉଥିଲି ପ୍ରାଣ ଭରି ଗାନ ।

ଅସର ସଂଗୀତଧାରା-

ନ ଥିଲା ଯା ସ୍ୱର ଲୟ ମାନ

ସେ ଦିନେ ଗୋ ନାଇଁ ଆଉ ଆଜି

ସମୟର ସ୍ରୋତେ ତାହା ଯାଇଅଛି କେଉଁଆଡ଼େ ହଜି ।

 

ମନେ ପଡ଼େ ସେ ଦିନଟି

ଅତୀତେ ଯା ଯାଇଛି ଉଭାଇ

ବ୍ୟଥାରେ ମାନସ ଭରି

ମଳୟ ଯେ ଲୁଚିଗଲା କାହିଁ

 

ଶୁଭିଥିଲା ପିକରୁତ

ବସନ୍ତର ପଲ୍ଲବିତ ବନେ

ଲାଗିଥିଲା ନୂଆ ରଙ୍ଗ

ଶୁଷ୍କ ଶୀର୍ଣ୍ଣ ଏ ମରଜୀବନେ

ସେଦିନଟି ଯାଇଅଛି ବିତି

ମନେ ଖାଲି ରହିଚି ତା ବିଦାୟର ବେଦନା-ବିଭୂତି ।

 

ଶରତ

ଥିର ପାଦପାତେ ଏଇ ଆସେ ଚାରୁ ଶରତ

ନୀଳିମା-ଲହରେ ପୁଲକି ଉଠଇ ମରତ

ଶୁଭ୍ର ଶିଶିରଭେଦାରେ

ମୁକ୍ତିଳ ହାସ ଫୁଟି ଉଠେ ବନକେଦାରେ ।

 

ଦିଗ୍‌ବଧୂ ଆଜି ଶୁକ୍ଳବଉଦ ବସନା

କଟିରେ ଆବରି ଉଷାର ଅରୁଣ-ରଶନା

ନିର୍ମଳା ଆଜି ଧରଣୀ

ନବ ରୂପ ଧରେ ବନ ବିଲ ପାଟ ସରଣୀ ।

 

ପଙ୍କଜ ଆଜି ଦେଖଇ ସୂର୍ଯ୍ୟ-ସପନ

ରକ୍ତିମା-ରୁଚି ଧରିଚି କୁମୁଦ-ଲପନ

ଉଷାର ମାଳତୀ ଅଳସେ

ମୁଗ୍‌ଧେ ଅନାଏ ସରଗର ସୁନା କଳସେ ।

 

କାନନ ଧରିଚି ତରୁ-ମର୍ମର-ଗୀତିକା

କାଶ-ଅଭିସାରେ ଫୁଲିଉଠେ ତଟ ବୀଥିକା

କୁନ୍ଦ ହସଇ ଗରବେ

ଶରତର ଏଇ ସୁନ୍ଦର ନବ ପରବେ ।

 

ଗନ୍ଧ ଖେଳାଇ ସ୍ୱର୍ଣ୍ଣ ଶାରଦ କ୍ଷେତ୍ର

ଭାଳୁଅଛି କିବା ନିମ୍ନେ ନିବେଶି ନେତ୍ର

ବଳ ହଟିଅଛି ନଈର

କନ୍ଦଳୀ-ହସ ଭୁଲି ପାରୁ ନାହିଁ ଗହୀର ।

 

ଭୂତଳେ ଶେଫାଳୀ ବିରଚି ଶୁଭ୍ର ତଳପ

ଭାଳି କାର ସ୍ମୃତି ହସୁଚି ଅଳପ ଅଳପ

ଡାକୁଚି କଜଳପତ୍ରୀ

ତମାଳ ମେଲିଚି ଗଗନେ ସବୁଜ ଛତ୍ରୀ ।

 

କିଆ ଯୂଈ ନୀପ ଗଲେଣି ଯେ ଯାହା ଅୟନେ

ଲୁହ ନାହିଁ ଆଉ ବିଧୁର ନୀରଦ-ନୟନେ

ନଭେ ଚାହିଁ ଚାରୁ ଚନ୍ଦ୍ର

ନୀରବ ପବିର ସ୍ତନନ-ଶିଙ୍ଗା ମନ୍ଦ୍ର ।

 

ସୁନ୍ଦର ଆଜି କ୍ଷିତିର ଉଜଳ ଚାହାଣୀ

ପୁଷ୍ପିତ ବନେ ଅଳିଗୁଞ୍ଜନ-ଗାଆଣି

ମୁଖରିତ କରି ଶରତେ

କୋଟି ନନ୍ଦନ ଡାକି ଆଣିଅଛି ମରତେ ।

 

ଗ୍ରାମପଥେ

ଅସ୍ତୋନ୍ମୁଖ ତପନର ପାଟଳ କିରଣ

ରଞ୍ଜିଦିଏ ପ୍ରତୀଚୀର କନକ-ତୋରଣ ।

ନିଛାଟିଆ ପଲ୍ଲୀପଥେ କେହି ନାହିଁ ଯାଏ

କପୋତୀ-ବାହୁନା ଖାଲି ଶ୍ରବଣ ବଥାଏ ।

 

ହିଡ଼ଧାରେ ଠାବେ ଠାବେ ସ୍ଫଟ ଅଙ୍କରାନ୍ତି

କନକ ନୟନେ ଦୂରୁଁ ତରାଟି ଚାହାନ୍ତି ।

ଏକାନ୍ତ ଆପଣା ସମ ଗୁଗୁଚିଆ କାହିଁ

ଅଜଟ ଶିଶୁଟି ପରି କାନି ଛାଡ଼ୁ ନାହିଁ ।

 

ବଟା ବନହଳଦୀରେ ଲେପି ସାରା ଦିହ

ଧରଣୀରେ ହସିଲାଣି ମଗୁଶିରଝିଅ ।

ବିନ୍ୟସ୍ତ କୁନ୍ତଳେ ସରୁ ସୀମନ୍ତ ପରାୟେ

ଶସ୍ପିଳ ପ୍ରାନ୍ତରେ ଶୀର୍ଣ୍ଣ ପଥ ଶୋଭା ପାଏ ।

 

ସ୍ୱର୍ଣ୍ଣ-ଶୀର୍ଷ-ଆନମିତ ପକ୍ୱ କ୍ଷେତବୀଥୀ

ପବନ-ଦୋହଲା ସଞ୍ଜେ ମେଲିଦିଏ ଗୀତି ।

ଚପଳ କିଶୋର କେହି ଜଗି ମଝି ପାଟ

ବାଟୁଳିରେ ଓଗାଳୁଚି ବିହଗର ବାଟ ।

 

ତରତରେ କାହିଁ ଶିଁଷା ଚଞ୍ଚୁପୁଟେ ରଖି

ତୀଖ ଡାଳେ ଚୋର ପରି ଉଡ଼ିଯାଏ ପକ୍ଷୀ ।

କଳେଇ-ଉଜୁଡ଼ା କ୍ଷେତ ଅବା କେଉଁଠାଏ

ଶୋଇଅଛି ଶୂନ୍ୟକ୍ରୋଡ଼ା ଜନନୀ ପରାୟେ ।

 

ଫେରୁଚି ମୁଁ ପରବାସୁଁ ବିମୁଗ୍‌ଧ ନୟନେ

ଦେଖି ଦେଖି ପଲ୍ଲୀଛବି ପ୍ରିୟ ବିଲବନେ ।

ତା ସାଥେ ପଡ଼ୁଛି ମନେ ପଡ଼ୋଶୀଙ୍କ କଥା

ଆପଣା କୁଡ଼ିଆଟିର ମଧୁର ମମତା ।

 

ଶିଶୁ ବେନିଙ୍କର ଚାରୁ ସଜଫୁଟା ମୁଖ

ଦେଖିବାରେ ହୋଇଛି ମୁଁ ଅଧୀର ଉତ୍ସୁକ ।

ଶୁଣିବାକୁ ତାଙ୍କ ମୁଖୁଁ କଅଁଳ ବଚନ

ପାଗଳ ମୁଁ ମଧୁ ଲାଗି ମଳୟ ଯେସନ ।

 

ସହସା ଚାହିଁଲି ନଭେ ମେଘ-ରଥେ ବସି

ସ୍ୱପ୍ନ ସମ ଭାସିଆସେ ସପ୍ତମୀର ଶଶୀ ।

ଆଖୁକ୍ଷେତୁ ରହି ରହି କାନେ ବାଜେ ଡାକ

ଝଙ୍କା ବରଗଛ ଦିଶେ-ଘର ହେଲା ପାଖ ।

 

ଗାଆଁମୁଣ୍ଡେ ଚୂନଘର ‘ଭଗି ସାହୁ’ ବସି

ଆପଣା ଦୋକାନ ଭାଉ କହେ ପରଶଂସି ।

ରାତିଟି ପାହିଲେ ହବ ପଢ଼ୁଆଁ ଅଷ୍ଟେଇଁ

ବିପୁଳ ଗ୍ରାହକ ରୋଳ ଉଠିଅଛି ଚେଇଁ ।

 

ଗୁଡ଼ ସାଥେ ଧରିଚି କେ ହଳଦୀପତର

କହେ କେବା ‘‘ସାହୁ, ମତେ ଆଗ ବିଦା କର ।

ରଇବାର ହାଟ ସାରି ଦୂର ଗ୍ରାମାବାସୀ

ସଘନେ ମନ୍ଥରପଦେ ଚାଞ୍ଚଲ୍ୟ ପ୍ରକାଶି

 

କହଇ କେ ସହଗାମୀ ସଙ୍ଗିଗଣେ ଚାହିଁ

‘‘ଘଡ଼ିଏ ହେଲାଣି ରାତି, ବେଗେ ଚାଲ ଭାଇ !’’

ପହଳି ଝାଡ଼ୁଚି କେହୁ ଭାଙ୍ଗୁ ଭାଙ୍ଗୁ ପାନ

‘‘ଟଙ୍କାଟି ମୂଳରେ ଥୁଆ ସବୁ ସନମାନ ।

 

‘ଜେମୀ’ର ଶରଧା ବଡ଼ କୁମ୍ଭଧଡ଼ି ପରେ

ବଧିରା ହେଲାଣି କାନ ଶୁଣି ଶୁଣି ଘରେ ।

ସାହୁର ତାଗଦା ପଛେ କଣ୍ଟା କରୁ ଦେହ

ଦାଣ୍ଡକୁ ଗୋଚର ହେଉ ବାପର ସେନେହ ।’’

 

 

ହସି କେହୁ ଉତ୍ତରଇ ‘‘ସବୁ ଘର ଏକା

ଅର୍ଥ ବିନା ଶରଧା କି ଯାଏ କାହିଁ ଦେଖା ?

ହଜାରେ ଅଡ଼ୁଆ ମୋର ପଛକୁ ପକାଇ

ଆଣିଲି ଏ ଯୋଡ଼ କିଣି ନୂଆ ବନ୍ଧୁ ପାଇଁ ।

ଅଭାବ ତ ସବୁ ଦିନେ ଲାଗିଅଛି ଘରେ

ସେ ସବୁ କି ମନେ ପଡ଼େ ଓଷା ପରବରେ ?’’

ଆକାଶେ ସଞ୍ଜୁଆ ତରା ବୁଡ଼ିଲା ମଠେଇ

ପରିଚିତ କଣ୍ଠସ୍ୱର ‘ଆସିଲେଣି ହେଇ’

କାନେ ମୋ ବାଜିଲା ଆସି ‘‘କିରେ ଏତେ ଡେରି’’

ଭୂଇଁରେ ନୋଇଁଲି ତାର ସ୍ମିତମୁଖେ ହେରି ।

କୋହେ ପୁଅ ଦୁଇଟୋପା ଲୁହ ତଳେ ଢାଳି

କହିଲା ‘‘କାଇଁ ମୋ ବହି’’ ପକେଟ୍‌ ଉଣ୍ଡାଳି ।

ଏକାଳେ କହିଲା ଝିଅ ମୁହଁ ଓହଳାଇ

‘‘ଚିଠିରେ ଯା ଲେଖିଥିଲି ମନେ କି ତା ନାଇଁ ?’’

ପଛପଟୁ ସ୍ନେହଭରେ ଭାତ ଥାଳି ଧରି

ରାଗେ ମାଆ ଉତ୍ତରିଲେ ‘‘ମଲା ମୋ ଛୋପରୀ !

ଭୋକିଲା ମଣିଷ ପାଖେ କାନ୍ଦୁ ଲୁଗା ପାଇଁ

ଏଡ଼େ ବଡ଼ ଝିଅ ହେଲୁ, ବୁଦ୍ଧି ଟିକେ ନାଇଁ ?’’

 

‘‘ଆଣିବି ତୋ ପେଇଁ ଲୁଗା ନିଶ୍ଚେ ଏଇ ମାସେ’’

ବୋଧିଲି ମୁଁ କହି ତାରେ ସ୍ନେହ ଶାନ୍ତ ଭାଷେ

ଦୀର୍ଘ ଅଦର୍ଶନବଶୁଁ ମୁଗ୍‌ଧ ଦୃଷ୍ଟି ଢାଳି

ବଖାଣି ବସିଲେ ମାଆ ବ୍ୟଜନଟି ଚାଳି-

 

‘‘ସବୁ ଦିନେ ଅଲିଅଳ ତୋର ପୁଅ ଝିଅ

ଅଡ଼ୁଆରେ କାଢ଼ିବେ ତ ଆକାଶରୁ ଖିଅ ।

ନ ହେଉଣୁଁ ଛୁଟି ପରା ଲେଖିଥିଲି ଭାଷା

ତଥାପି ଭାଙ୍ଗିଲୁ ତାଙ୍କ ଉଝଟିଆ ଆଶା ?’’

 

ଶୁଣୁ ଶୁଣୁ କଥା ତାର ଭାବୁଥିଲି ମନେ

ୟା ଠାରୁ କି ସୁଖ ଥାଏ ଦରିଦ୍ର ଜୀବନେ !!

 

ଅଳକାପୁରୀ

ନିର୍ନିମେଷେ ଚାହିଁବୁ ଘନ !

ହୋଇ ରେ ଉଭା ଗଗନୋପରି

କେସନେ ତଳେ ଅଳକା ଠିଆ

ତିନି ଭୁବନ ସୁଷମା ଧରି ।

 

ଶାରଦ ରାତେ ହସଇ ଯଥା

କୁମୁଦକୋଳେ ଜୋଛନା ଶୋଇ

ସୌଧଶିରୁଁ ତେସନ ତାର

ତରଳ ହାସ ପଡ଼ୁଛି ବୋହି ।

 

ଅଙ୍କେ ତୋର ଦାମିନୀ ସମ

କାମିନୀ ତାର ବିଳାସାଗାରେ

ବାରଣ ସମ ଶିଥିଳ ଗତି

ଗଉର ଗୁରୁ ଜଘନଭାରେ ।

 

ତୋ ମୁଖେ ଯଥା ସ୍ଫୁରଇ ଘନ !

ଦମ୍ଭୋଳିର ମନ୍ଦ୍ର ଗୀତି

ବିଳାସିନୀର ମୁରଜ ନାଦେ

ଭବନ ତାର ମୁଖର ନିତି ।

 

ଧନ୍ୟ ତାର କାଉଁରୀ ମାୟା

କେଉଁ ରାଇଜୁଁ ଆଣିଛି ଲୁଟି

ଲକ୍ଷ କବି ମୁଖେ ବା ମୁନେ

ସୁଷମା ଯାର ନ ପାରେ ଫୁଟି ।

 

ତୋ କୋଳେ ଯଥା ବାସବଧନୁ

ଶବଳ ରାଗେ ଶୋଭଇ ଘନ !

ସ୍ୱପ୍ନ ସମ ସୁଷମା ତାର

ହରଇ ତଥା ନୟନ-ମନ ।

 

ନଭସେ ଦେଖି ଚପଳଲୀଳା

ଶୁଣି ଘନ ! ତୋ ମନ୍ଦ୍ର ଗୀର

ତୋହରି ପାଶେ ଊର୍ଦ୍ଧ୍ୱେ ଧାଏଁ

ଅଭ୍ରଭେଦୀ ସୌଧଶିର ।

 

ସେ ଦେଶ ବାଳୀ କୁନ୍ଦ ଫୁଲେ

ସଜାଏ ତାର ଅଳକଦାମ

ଲୋଧ୍ରରେଣୁ ଲପନେ ଲେପି

ବାନ୍ଧି ରଖେ ପଣତେ କାମ ।

 

କୃଷ୍ଣ ତାର ଖୋସାରେ ଖୋସି

କୁରୁବକର ସ୍ତବକ-ଝରା

ଶିରୀଷଫୁଲ ଦୋଳାଇ କାନେ

ହୁଅଇ କୋଟିନୟନ-କାରା ।

 

ପହିଲେ ଯେଉଁ କଦମ ଫୁଟେ

ଆଗମେ ତୋର ହେ ନଭଚାରି !

କେଶ-ବୀଥିରେ ଦୋଳାଇବାରେ

ନ ଭୁଲେ କେବେ ଅଳକାନାରୀ ।’’

 

ଫୁଲର ତହିଁ ମରଣ ନାହିଁ

ବିଟପିମାଳ ଚିର ଶ୍ୟାମଳ

ନିୟତ ଅଳି-ଗୁଞ୍ଜରଣେ

ମୁଖର ତାର କୁଞ୍ଜତଳ ।

 

ତରଳ ନୀଳ କାସାରେ ହସେ

ପୁଣ୍ଡରୀକ ସୁଷମାଭୋଳେ

ରମ୍ୟ କୋଟି ମରାଳ-ହାର

ସତେ କି ତାର କଟୀରେ ଦୋଳେ !

 

 

ମାଣିକପୁର ଶୋଭନ କରି

ନାଚଇ କେଳୀ ବରହ ତୋଳି

ସତେ କି ଅବା କଜଳ ନଭେ

ଶତ୍ରଚାପ ଖେଳଇ ଦୋଳି ?

 

ଅମାର କାହିଁ ଜନମ ତହିଁ

ପୂର୍ଣ୍ଣ ଯହିଁ ଆଲୋକ-ହାସ

ମେଦୁର ଯାର ବିଶାଳ ବୁକେ

ଜୋଛନା କରେ ନିତ୍ୟ ରାସ ।

 

ବିଧିର ସୁଖ-କଳ୍ପନାରୁ

ଉଦ୍ଭୂତ କି ଅଳକାଧାମ

ତିନି ଭୁବନେ ନ ଥିବ କାହିଁ

ଦୁର୍ଲ୍ଲଭ ଏ ମଧୁର ନାମ ।

 

ଚିର ସମାଧି ନେଇଛି ତହିଁ

ଲୋତକ ବ୍ୟଥା କଷଣ ତାପ

ସ୍ୱପ୍ନ ପୁଣି ହିଂସା ଦ୍ୱେଷ

ମରଣ ଜରା ମିଥ୍ୟା ପାପ ।

 

 

ଚିର ସବୁଜ ସେ ଭୂଇଁ ତରୁ

ଚିର ତରୁଣ ସେ ଦେଶ ଜନ

ପ୍ରଣୟ-କଳି ଲାଗିଲେ ଅବା

ଝରଇ କାର ସୋହାଗ-ବନ !

 

ମରକତର କୁଟ୍ଟିମରେ

ଉଜ୍ଜ୍ୱଳଇ ସ୍ଫଟିକ ରାଗ

ରତନ-ଭାତି ଦିବସରାତି

ହସାଏ ତାର ହର୍ମ୍ମ୍ୟଭାଗ ।

 

ନିତ୍ୟ ପୁଣି ପୀୟୂଷପାନେ

ବିଭୋର ତହିଁ ବିଳାସି-ବୁକ

ଜ୍ୟୋତ୍ସ୍ନାକାଶେ ନିରେଖି ତୋର

କୋମଳ ମଧୁ ଧୂମଳ ମୁଖ ।

 

ସେ ଦେଶେ ଘନ ! ମନ୍ଦାକିନୀ

କରଇ ନାହିଁ ମନ୍ଦ ଗତି

ପୁଳିନେ ତାର ପାରିଜାତକ-

ଛଇଳ ଛାୟା ସ୍ନିଗ୍‌ଧ ଅତି ।

 

 

ରଜତନିଭ ସିକତା-ଶେଯେ

ତ୍ରିଦଶବାଳା ବିଳସେ ଯାଇ

ହଜାର ମଣି ନୟନେ ତାର

ଶୋଚନା ତିଳେ ଫୁଟଇ ନାଇଁ ।

 

ସେ ଦେଶେ ଘନ ! ସବୁରି ପୁରେ

ନିଶୀଥାଲୋକ ଲଜ୍ଜା ପାଏ

ମୁକୁତା ମଣି ରତ୍ନେ ତାର

କାନ୍ତିଟିକ ମଉଳିଯାଏ ।

 

ଜଳଦ ହେରେ ସୌଧ-ଶିରୀ

ଆଡ଼େଇ ତାର ଶୀକର-ଆଖି

ପରଶି ସୁଖେ ନିମେଷେ ପୁଣି

ସୁଦୂରେ କର ନିଅଇ ଜାକି ।

 

ଶୟନାଗାର ଚନ୍ଦ୍ରାତପେ

ଦୋଳଇ ଚାରୁ ଚନ୍ଦ୍ରମଣି

ନିମ୍ନେ ତାର ତଳପ ରଚେ

ସୁବାସ ଫୁଲେ ସେ ଦେଶ ଧନୀ ।

 

 

ବାତାୟନର ମୁକୁଳା ପଥେ

ଚୁମିଲେ ମଣି ଚନ୍ଦ୍ରକର

ଶ୍ରାନ୍ତ ଦେହେ ଶାନ୍ତି ଢାଳେ

ବିନ୍ଦୁମୟ ଶୀତଳ ଝର ।

 

ସୁନ୍ଦର ସେ ପୁଣ୍ୟ ପୀଠେ

ଗଙ୍ଗାଧର କରଇ ବାସ

ପ୍ରତାପେ ଯାର ଥରଇ ସ୍ମର

ସୁମରି ନିଜ ଅଙ୍ଗନାଶ ।

 

ତାହାରି ତ୍ରାସେ ବରଜି ସେହୁ

ଅଙ୍ଗନାର ବିଳାସ ଘର

ପୁଷ୍ପଧନୁ ଲୁଚାଇ ଦୂରେ

ଶୂନ୍ୟ ରଖେ ଶୋଭନ କର ।

 

ସୁଷମା-ପରୀ ସେଦେଶ ନାରୀ

ଯୌବନର ରସାଣଦିଆ-

ଅପାଙ୍ଗର ମନ୍ତ୍ରବାଣେ

ଭେଦଇ ସଦା ପ୍ରଣୟିହିଆ ।

 

 

ସେଦେଶେ ଅଛି କଳ୍ପତରୁ

କୁବେରନାରୀ ଇଷ୍ଟବର

ମାନସ ଜାଣି ଭୂଷଣ ବାଢ଼େ

ମେଲାଇ ତାର ଗନ୍ତାଘର ।

 

ଅଙ୍ଗଲାଖି ରଙ୍ଗ ଶାଟୀ

ଚରଣେ ଚାରୁ ଲାକ୍ଷାରସ

କବରୀ ପାଇଁ କୁସୁମଝରା

ଯହିଁରେ ଯାର ବଳେ ମାନସ

 

ନୟନ ହେବ ସାର୍ଥ ତୋର

ସ୍ରଷ୍ଟାର ସେ ସପନ ଚାହିଁ

ଅପରୂପା ସେ ‘ଅଳକାପୁରୀ’

ତିନି ଲୋକେ ଯା ତୁଳନା ନାହିଁ ।

 

ନାରୀର ଚକ୍ଷୁ

ହେ ରମଣୀ !

ନୟନରେ ତୋର

ଦେଖିଛି ମୁଁ

ଗୌରବିତ

ବହୁ ରୂପାନ୍ତର ।

 

ଶୈଶବର କୋମଳ ଲଗନେ

ଢଳଢ଼ଳ ତୋହରି ନୟନେ

ଦେଖିଅଛି ଅନାଘ୍ରାତ ବୃନ୍ତଲଗ୍ନ ଏକ

ଅଚୁମ୍ବିତ କୁସୁମର ବିକଚ ପଳାଶ ।

 

କଇଶୋର ନେତ୍ରଯୁଗଳର

ଦୀପ୍ତ ଚାରୁ ଅନାଉଣୀ ତଳେ

ତରୁଣ ବସନ୍ତେ

ଗୋପନ ମଳୟ ସ୍ପର୍ଶେ

ବନାନୀର ମୃଦୁଳ ବେପଥୁ ।

 

ଯୌବନର ପ୍ରୀତିସ୍ନିଗ୍‌ଧ କଳା ଚଳାପାଙ୍ଗେ

ଅବନତ ସୁନୀଳ ବାରିଦେ

ସ୍ତନିତନାଦିନୀ-

ସ୍ୱର୍ଣ୍ଣ ଚପଳାର ବିଲୋଳ ନର୍ତ୍ତନ ।

 

ଜୀବନର ଅନ୍ତିମ ସୋପାନେ

ବେଦନା-ବୀକ୍ଷୂବ୍‌ଧ ବେନି ଶ୍ରାନ୍ତ ଦୃଷ୍ଟିପାତେ

ଦେଖିଛି ମୁଁ ନାରୀ

ନିଃସଂପଦ ନିଃସୈନିକ ପରାଜିତ ଏକ

ଅସହାୟ ନୃପତିର ଭଗ୍ନ ମନୋଭାବ ।

*            *            *

 

ବେଦନା-ବିଧୁରା ମାତା ବିଶୀର୍ଣ୍ଣ ନୟନେ

ଦେଖିଛି ମୁଁ ଶ୍ରାବଣୀର

ଉଦ୍ଦାମ ଯୌବନ ।

 

ଉଲ୍ଲାସ-ଉତ୍‌ଫୁଲ୍ଲ ବଧୁ ଲୋଚନଯୁଗଳେ

ବାସନ୍ତୀ ରସାଳଲଗ୍ନା

ମାଧବୀ-କଟାକ୍ଷ ।

 

କନ୍ୟାର ସେନେହ-ସିକ୍ତ ଉଜ୍ଜ୍ୱଳ ଅପଙ୍ଗେ

ଶାରଦୀୟ ଚାନ୍ଦିନୀର

ସୁଶାନ୍ତ ସ୍ନିଗ୍‌ଧତା ।

 

ଭସାଣ ତରୀ

ପ୍ରଦୀପ-

 

ଜଳା

 

ପ୍ରଦୋଷ

 

ବେଳା

ଗଗନେ

 

ଭାସେ

 

ବଉଦ

 

ଭେଳା ।

ଭୋଦୁଅ

 

ମାସ

 

କଅଁଳ

 

ଘାସ

ଜୋଛନା

 

ତଳେ

 

ଆବେଗେ

 

ଢଳେ ।

ଓଢ଼ଣା

 

ଟାଣି

 

ଫୁଟିଲା

 

କିଆ

ବଧୁଟି

 

ସମ

 

ପୁଳିନେ

 

ଠିଆ ।

ତରଣୀ

 

ଚଳେ

 

ଗଗନ

 

ତଳେ

ସଲିଳ-

 

ଶେଯେ

 

ଜୋଛନା

 

ଝଳେ ।

ତରୁଣ

 

ମାଝି

 

ଖେପଣୀ

 

ଧରେ

ପାଗଳ

 

ଢେଉ

 

ଗରଜି

 

ମରେ ।

ରାଗିଣୀ

 

ଧରି

 

ଚାଲିଚି

 

ତରୀ

ମଙ୍ଗେ

 

ମାଝି

 

ଆହୁଲା

 

ମାରେ

ଆଲୋକ

 

ଚାହେଁ

 

ଗହଳ

 

ବନ-

ଚକ୍ର-

 

ବାଳ

 

ସବୁଜ

 

ଧାରେ ।

ନାଉରୀ

 

ଏଣେ

 

ଭଞ୍ଜ

 

କବି

‘‘ଆଷାଢ଼

 

ବାଣୀ’’

 

ରାଗିଣୀ

 

ଛାଡ଼ି

ମଧୁର

 

ଗୀତ

 

ମଧୁର-

 

ତର

କରିଚି

 

ସରୁ

 

କଣ୍ଠ

 

ଝାଡ଼ି ।

ରସାଳ

 

ମଧୁ

 

ଚମ୍ପୂ

 

ଗାଥା

ଅବାକ୍‌

 

ଶୁଣି

 

ବିଟପି-

 

ଲତା

ଶୀକର-

 

ଶୀତ

 

ତଟିନୀ

 

ବାତ

ସ୍ୱପ୍ନେ

 

ଭରେ

 

ନୟନ-

 

ପତା ।

ଗହୀର

 

ଜଳେ

 

ଡଅଁର

 

ମାତେ

ହିଂସ୍ର

 

ଢେଉ

 

ନ ମାନେ

 

କାତେ

ଇଷ୍ଟ

 

ଦିଅଁ

 

ସୁମରି

 

ମାଝି

ଖଟାଏ

 

ବଳ

 

ଖେପଣୀ

 

ସାଥେ ।

ପଝାରି

 

ଦଳେ

 

ଭାଳେଣୀ

 

ପଡ଼େ

ଈଶାଣେ

 

ଚାହିଁ

 

ବଉଦ-

 

ସଭା

ଶଙ୍କା-

 

କୁଳ

 

ସବୁରି

 

ପ୍ରାଣ

ତରୀରେ

 

ଢେଉ

 

ଗ୍ରାସିଲା

 

ଅବା ।

କମର

 

ଭିଡ଼େ

 

ତରୁଣ

 

ମାଝି

ଭୋଦେଇ

 

ସୁଅ

 

କେତେକେ

 

ମାନେ

ଏଣେ ଯେ

 

ପୁଣି

 

ଉଠାଣି

 

ଝଡ଼

ଗଲାଣି

 

ଭାସି

 

ବଉଦ-

 

ଯାନେ ।

ଛାମୁଆ

 

ଦିଶେ

 

ଗାଆଁର

 

ପାଖ

ତରଣୀ

 

ଲାଗି

 

ପଡ଼ିଚି

 

ଡାକ ।

ପୁଳିନ

 

ଏବେ

 

ଧରିଚି

 

ତରୀ

ଉଜାଣି

 

ସାଥେ

 

ଯୁଦ୍ଧ

 

କରି ।

କିଶୋର

 

ଧାନ

 

ଶାରଦ

 

ଗାନ

ସମୀରେ

 

ଢାଳେ

 

ରଜନୀ-

 

ମୁଖେ

ତଟର

 

ତରୁ

 

ବଇଁଶୀ

 

ବାଏ

ଆପଣା

 

ଛାଏଁ

 

ମନର

 

ସୁଖେ ।

ଘାଟରେ

 

ଏବେ

 

ତରଣୀ

 

ଭିଡ଼ା

ପ୍ରହରୀ

 

ସମ

 

କାତଟି

 

ଛିଡ଼ା ।

ତରୁଣ

 

ଭୋଇ

 

ପଡ଼ିଚି

 

ଶୋଇ

ଊର୍ମି-

 

ମେଳେ

 

ଚନ୍ଦ୍ର

 

ଖେଳେ ।

 

ଗୃହସ୍ଥାଶ୍ରମ

ନିଃସଙ୍ଗ ପ୍ରକୋଷ୍ଠେ ବସି

ବହି ଖଣ୍ଡେ ପଢ଼ୁଛି ଏକାକୀ

ଧରାରେ ଆକାଶ ଚାହେଁ

ମେଲି ତାର ଲକ୍ଷ ତାରା-ଆଖି ।

 

ଅଦୂରେ ଭସାଇ କିଏ

ଦେଇଅଛି ମୂରଲୀର ଗାନ

ଅଧେ ଶୁଭ ସମୀରଣେ

ହଜିଯାଏ ଅଧେ ତାର ତାନ ।

 

ପ୍ରାଚୀନ ପୁରାଣ ମନ୍ଥି

ଏତେବେଳେ ପଢ଼ୁଅଛି ବସି

‘‘ତପୋବନେ ସନ୍ଧ୍ୟାଛବି’’

ସ୍ୱର୍ଗ ଯେହ୍ନେ ମାଗେ ହସି ହସି

 

ବିଳାସ-ବାସନା-ହୀନ

ପୁଣ୍ୟ ଏଇ ଆଶ୍ରମର ଧୂଳି

ସୁରମ୍ୟ ବେଦିକା ତଳେ

ଥାପି ତାର ଉନ୍ନତ ମଉଳି ।

 

ବିଶ୍ୱାମିତ୍ର ଅନ୍ତେବାସୀ

ଏତେବେଳେ କରି ସଦ୍ୟସ୍ନାନ

ସନ୍ଧ୍ୟାର ଆହ୍ନିକ ପାଇଁ

ପାତିଛନ୍ତି ଅଜିନ ଆସନ ।

 

ସୁଶ୍ରୀ ଋଷିକନ୍ୟା ଯୋଗେ

ଧନ୍ୟ ଏଇ ଆଶ୍ରମ-ଆବାସ

ବିନା ଆଭରଣେ ଝଳେ

ଅଙ୍ଗେ ତାଙ୍କ ଅଚିନ୍ତ୍ୟ ବିଳାସ

 

କରିଛନ୍ତି ବିଭୂଷିତ

ଦୀପିତ ଏ ଛବିଳ ଅଙ୍ଗନେ

ନ କୁଟି-ବିଳାସ-ହୀନ

ପ୍ରୀତିସ୍ନିଗ୍‌ଧ ଅପାଙ୍ଗ ଚାଳନେ ।

 

ତହିଁ ପୁଣି ସନ୍ଧ୍ୟାର ଏ

ଦୀପାଲୋକ ମୁଖେ ପ୍ରତିଫଳ

ରସାଣିତ ହେମ ସମ

ଶତ ଗୁଣେ ଦେଇଛି ଉଚ୍ଛ୍ୱାଳି ।

 

ପ୍ରଚ୍ଛନ୍ନ ଧୂପର ବାସ

ଭାସିବୁଲେ ମୃଦୁଳ ପବନେ

ହମ୍ବା-ମୁଖରିତ ଗୋଷ୍ଠେ

ବ୍ୟସ୍ତ କେବା ଅଛି ଗୋଦୋହନେ ।

 

ଶାନ୍ତି-ମୈତ୍ରୀ ବେନି ଏଥି

ପରସ୍ପରେ ରଚିଛନ୍ତି ବାସ

ଭ୍ରାନ୍ତ ମନ ଲୋଡ଼େ ସିନା

ବୃଥା ଖାଲି ସ୍ୱର୍ଗୀୟ ବିଳାସ ।

 

ସାନ୍ଧ୍ୟ ସ୍ତବ ଗୁଞ୍ଜରଣେ

ମୁଖରିତ ପବିତ୍ର ଆଶ୍ରମ

ଧ୍ୟାନାବିଷ୍ଟ ନେତ୍ରେ କେବା

ବସିଅଛି ଧୂର୍ଜଟିର ସମ ।

 

‘‘ତପୋବନେ ସନ୍ଧ୍ୟାଛବି’’

ଅଧ୍ୟାୟଟି ନ ସରଣୁ ମମ

ବିମୁକ୍ତ ଗଗନପଟେ

ଆକସ୍ମିତ ମେଘମାଳା ସମ

 

 

ସହସା ହୋଇଲେ ଉଭା

ନିଃସଙ୍ଗ ମୋ ନିରୋଳ କୁଟିରେ

‘ନମସ୍ତେ’ ଜଣାଇ ଦୂରୁ

ବନ୍ଧୁଗଣ ସ୍ନେହସିକ୍ତ ଗୀରେ ।

 

ପରିହାସେ ‘ବିଧୁରାୟ’

କହିଲେ ମୋ ପଛପଟୁଁ ଥାଇଁ

‘‘ଏଡ଼େ ବଡ଼ ପୌରାଣିକ

କେଉଁ ଦିନ ପାଲଟିଲୁ ଭାଇ ?’’

 

ଖେଳାଇ ଅଧର ତଳେ

ଅର୍ଥମୟ ହାସ୍ୟରେଖାଭାସ

‘ପ୍ରଫୁଲ୍ଲ ମହାନ୍ତି’ ତହୁଁ

କହିଉଠେ ‘‘ସାବାସ୍‌ ସାବାସ୍‌ !

 

କବିର କଳ୍ପନା ଯାହା

ମନେହୁଏ ପଢ଼ି ସ୍ୱପ୍ନ ପରି

ତାହା ଏହି ଗୃହ, ଭଭା

ଆଶ୍ରମରେ ମୂର୍ତ୍ତି ଛବି ଧରି ।

 

 

ତହିଁ ଯେତେ ସମବେତ

ବହୁ ଦେଶୁଁ ଆଗତ ଶିକ୍ଷାର୍ଥୀ

ତା ବଦଳେ ଦିଅ ସ୍ଥାନ

ଆମ ପରି ଯେତେ ଆସୁଛନ୍ତି ।’’

 

କହିଲି, ‘‘ବକ୍ତବ୍ୟ ତୁମ

ସରିଲା ନା ଅଛି ଆଉ ବାକୀ ?’’

‘ହରି ପାଣିଗ୍ରାହୀ’ ତାଙ୍କ

ଆଗତ ଏ ସଙ୍ଗିଗଣେ ଡାକି-

 

ବଖାଣିଲେ ‘‘ଆମ ପରି

ଛନ୍ତି ଯେତେ ଅଭାଗାର ଦଳ

ଭାବଇ ଧୃଷ୍ଟତା ଖାଲି

ସେମାନଙ୍କ ଚରମ ସମ୍ବଳ ।

 

ଋଷିକଣ୍ଠ-ବିନିଃସୃତ

ପୁରାଣର ଯେତେ ଉପାଖ୍ୟାନ

ତରୁଣ ମହଲେ ଆଜି

ହୋଇଛି ତା ନାଟ୍ୟ ପ୍ରହସନ ।

 

 

ମହାମୁନିଗଣଙ୍କର

ନୀତି ବାକ୍ୟେ ଅବିଶ୍ୱାସ କରି

ବିଦଗ୍‌ଧ ଅଙ୍ଗାର ସମ

ଜୀବନଟା ବୃଥା ଯାଏ ସରି ।

 

ଏ ବିଶ୍ୱରେ ଯାହା କିଛି

ସତ୍ୟ ଶିବ ଅଥବା ସୁନ୍ଦର

ସଞ୍ଚିଛି ତା ଯୁଗେ ଯୁଗେ

ପୁରାଣର ଅକ୍ଷୟ ଅକ୍ଷର ।

 

ପାଶ୍ଚାତ୍ୟ ଶିକ୍ଷିତ ଯେତେ

ଆଜି ଏହି ବିଜ୍ଞାନର ଯୁଗେ

ଋଷି-ବିରଚିତ କାବ୍ୟ

ଧରିବାକୁ ଲଜ୍ଜା ତାରେ ଲାଗେ ।’’

 

ଶୁଣି ସବୁ ଧୈର୍ଯ୍ୟଭରେ

ଉତ୍ତରିଲି, ‘‘ନୁହେଁ ତାହା କଣ

ଏ ତ ନୁହେଁ ପାଠ୍ୟଗ୍ରନ୍ଥ

ଦେବ ଆଣି ଟଙ୍କା ରଣଝଣ ?’’

 

 

ଉତ୍ତରିଲେ ‘ଚଉଧୁରୀ’

‘‘କେ କହିଲା-ଆରେ ରାମ ରାମ

ଏ ଗୃହେ କରିଛ ତୁମେ

ରୀତିମତ ‘ଗୃହସ୍ଥ ଆଶ୍ରମ’ ।’’

 

ବିଧବା

ଭାଗ୍ୟହୀନା !

ଆକୁତି ତୁମର-

କ୍ରୂର କାଳ-ଝଟିକାର ନିର୍ଦ୍ଦୟ ତାଣ୍ଡବେ

ଜୀବନ-ତଟିନୀ ଗର୍ଭେ

ନିମଜ୍ଜିତ ପ୍ରଣୟ-ତରୀର

ବ୍ୟର୍ଥ ଅନ୍ୱେଷଣ ।

 

ଦେଖିଛି ନୟନ ତୁମ-

ବୃଷ୍ଟି-ରିକ୍ତ ଶରତ ବାରିଦେ

ବଦନ ଶ୍ରୀ-

ରାହୁଗ୍ରାସ ବିଧୁର ଶଶାଙ୍କେ

ଅଧର-

ତୁଷାରାବୃତ ନିଶାନ୍ତର ପାଣ୍ଡୁର ମୟଖେ ।

 

କରୁଣ ଚାହାଣୀ-

ତୈଳଶୂନ୍ୟ ଦୀପମୁଖେ

ନିଃଶେଷିତ କ୍ଷୀଣ ବତୀଟିର

ଥରଥର ମୁମୂର୍ଷୁ ଆଲୋକେ ।

 

ମନ୍ଥରିତ ଗତି-

ନିଦାଘର ତାପ-ଶୁଷ୍କ

ସରିତର ଶୀର୍ଣ୍ଣ ସ୍ରୋତଧାରେ ।

 

ବ୍ୟଥାର ଚାଞ୍ଚଲ୍ୟ ଭାବ-

ଗୃହାଶ୍ରମୀ ବୈରାଗୀର ବିକ୍ଷିପ୍ତ ମାନସେ

ଝଡ଼ମୁଖୀ ତରଣୀର ଉନ୍ମଦ ଦୋଳନେ ।

 

ନାରୀ ତୁମେ-

ଦୀନା ବିଦଳିତା-

ରୌଦ-ଦଗ୍‌ଧା ବସୁଧାର

ନିଷ୍ପେଷିତ ଶୁଷ୍କ ତୃଣ ସମ ।

 

ବେଦନା ତୁମର-

ଅନମ୍ବରୁଁ ବଳି ସୀମାହୀନ

ପାରାବାରୁଁ ବଳି ସୁଗଭୀର

ଧରଣୀହୁଁ ବଳି ସୁବିଶାଳ ।

 

ଜନତାର କ୍ରୂଦ୍ଧ ନେତ୍ରତଳେ

ତୁମେ ଏକ ଅଶୁଭ ଶକୁନ ।

 

ନିୟତ କାତରା

ଝଞ୍ଜାଘାତେ      ହତାଶ୍ରୟା

ସୁକୋମଳା ବଲ୍ଲରୀ ସଂକାଶ ।

ଅଧୀର ବିଳାପେ ତବ ଶୁଭଇ ନିୟତ

ଛିନ୍ନପକ୍ଷା ବିହଗୀର ଆକୁଳ ଗୁଞ୍ଜନ ।

କେଉଁ ଅପଦେବତାର ତୀବ୍ର ଅଭିଶାପେ

ଆସିଥିଲ ଅଶ୍ରୁଜଳେ ଜୀବନକୁ ହାୟ

କରିବାକୁ ଅନୁବେଳ ହାହାକାରେ ସିକ୍ତ !

ଦୁଃଖଶୋକଖେଦଘେରା ବିଶ୍ୱର ଏ ବିଶାଳ ଗ୍ରନ୍ଥର

ବହୁପୃଷ୍ଠା-ସମ୍ବଳିତ ତୁମେ ଏକ ଦୀର୍ଘ ମୁଖବନ୍ଧ ।

ସୃଷ୍ଟିର ପ୍ରଚ୍ଛନ୍ନ ବ୍ୟଥା

ମୂର୍ତ୍ତି ପରିଗ୍ରହି

ଅହରହ ଅଙ୍ଗେ ତବ

ବିଧବା ଗୋ

କରୁଅଛି ଲୀଳା !

ସକଳ ଲାଞ୍ଛନା-ଶେଳ ଆବୋରି ମରମେ

ଚାଲିଛି ଗୋ ଅନାହତେ ଜୀବନର ଅନନ୍ତ ଅୟନେ

ମୃଦୁ ପଦ ସଞ୍ଚାଳନେ

ନିସ୍ତରଙ୍ଗ କାଳ-ସ୍ରୋତ ପରି ।

 

ଯେଉଁ ଦେଶେ ମୈତ୍ରୀ-ଫଲ୍‌ଗୁ

ଐକ୍ୟର ସ୍ୱର୍ଣ୍ଣଦୀ

ପ୍ରୟାଣ ରଚନ୍ତି ଧରି ଦ୍ୱିମୁଖୀ ପ୍ରବାହ-

 

ଯାମଳ ସୋଦର ସମ ଯେଉଁ ପଥ ଧାରେ

ସୁଖ ସାଥେ ମହାନନ୍ଦ ନିତ୍ୟ କରେ ଗତି

ବନ୍ଧୁ ସମ ମିଷ୍ଟଭାଷେ ବିରଚି ଆଳାପ-

 

ଯେ ଦେଶର ଭେଦହୀନ ବିରାଟ ଶାସନେ

ବ୍ୟଥାର ବନ୍ଧନୀ ବକ୍ଷେ

ଅଶ୍ରୁ ଚିର ନେଇଛି ସମାଧି-

 

ନାହିଁ ଯହିଁ ଧର୍ମନାମେ କ୍ରୂର ଅବିଚାର

ସତ୍ୟତାର ଅପବ୍ୟବହାର-

 

ସେଇ ପଥେ ଯାଅ ବହି

ଜୀବନର ମହାଲକ୍ଷ୍ୟ ସାଧି

ଅଚପଳା ଅକଳୁଷା

ମନ୍ଦସ୍ରୋତା ନିର୍ଝରିଣୀ ସରି ।

 

 

ପଶ୍ଚାତେ ରହୁ ଗୋ ପଡ଼ି

ବିଶ୍ୱର ଏ ନଶ୍ୱର ବିଳାସ

ନିୟତିର ନିଷ୍ଠୁର ସଂପାତ

କାଳର ଏ ତୀବ୍ର ଉପହାସ ।

 

ସଂଧ୍ୟାଶ୍ରୀ

ହସେ ଦୂରେ ସ୍ୱର୍ଣ୍ଣ ଚକ୍ରବଳ

ରତରତ ଫୁଲସଞ୍ଜବେଳ

 

ତୁଙ୍ଗ ନାରୀକେଳ ଶାଖେ

 

ମ୍ଳାନ ରଶ୍ମି ସ୍ୱପ୍ନ ଦେଖେ

ଜନହୀନ ନଈ ଆରପାରେ

ବଂଶୀ ରଖି ଓଷ୍ଠପୁଟେ

 

ଗୋପାଳ ବାହୁଡ଼େ ଗୋଠେ

ବଧୂ କେବା ଚଳେ ସରୋବରେ ।

 

ଦିବସର ଶେଷ ରାଗେ

 

ଯାମିନୀର ନିଦ ଭାଙ୍ଗେ

କରେ ସଂଧ୍ୟା ବେନିର ବିବାହ

ବାଉଁଶ-ବଇଁଶୀ ଗାଇ

 

ସମୀର ଉଠଇ କହି

ବିହଙ୍ଗମେ ‘‘ମାଙ୍ଗଳିକ ଗାଅ ।’’

 

ଅସ୍ତରବି ଅରୁଣିମା

 

ଲେଖିଯାଏ ଶେଷ ଚୁମା

ଧ୍ୟାନମଗ୍ନା ପଦ୍ମିନୀ-ବଦନେ

ସୁଗଭୀର ସୁପ୍ତି ଘୋରେ

 

ସୁକୋମଳ ସ୍ୱପ୍ନଭରେ

କଳକୁହୁ ମୁଖରିତ ବନେ ।

 

 

ବିମଳ ସରସୀ ଜଳେ

 

ରହି ରହି କୁତୂହଳେ

ମୁଖ ଦେଖେ ସ୍ଥିର ସନ୍ଧ୍ୟାତାରା

ପକ୍ଷୀ-ନୀଡ଼େ ତନ୍ଦ୍ରା ଢାଳି

 

ହସଇ ପ୍ରଦୋଷ-ବାଳୀ

ଧୃପଗନ୍ଧେ ହୋଇ ଆତ୍ମହରା ।

 

ହେରି ନିଶିମୁଖ-ମୁହଁ

 

କ୍ଷିପ୍ରେ ଧାଏଁ ଚଷାପୁଅ

ଗୋଟି ପରେ ଗୋଟି ଟପି ବିଲ

ବୁଦାତଳେ ଡାକେ ବଣି

 

ଝିଲ୍ଲିବଧୂ ଉଠେ ସ୍ୱନି

ଉଡ଼ିଯାଏ ନଭେ ଶଙ୍ଖଚିଲ ।

 

ତୁଳସୀର ବାଢ଼ି ବତୀ

 

ନମେ ନାରୀ ବ୍ରୀଡ଼ାବତୀ

ପାଠଶାଳୁଁ ସୁତ ଫେରି ପାଖେ

ମାତା ରଖିଥିବା ଜାଣି

 

ଜଳପାନ, ଟାଣି କାନି

ଗଡ଼ଜିତା ବୀର ପରି ଡାକେ ।

 

ଗୋଠଛଡ଼ା ଗାଈ କାର

 

ହମ୍ବାଳଇ ବାରବାର

ପାଖ ଗାଆଁ ବାଟ ହୋଇ ବଣା

ଭୂମି ପରେ ମଥା ନଇଁ

 

ଯୁକ୍ତକରେ ଭକ୍ତ କେହି

ବିଭୁପଦେ ଦୁଃଖ କରେ ଜଣା ।

 

 

ଗାଆଁ ନାଳ ପଥପରେ

 

ଶଗଡ଼ିଆ ଚଳେ ଘରେ

ଗାଇ ‘‘ଭଞ୍ଜ’’ ରସ ଚଉପଦୀ

ଅଜା କାହିଁ ଧରି ନାତି

 

ମାନସାଙ୍କ ପଚାରନ୍ତି

ରହି ରହି ବେତେ ତାଙ୍କୁ ଚଦି ।

 

ବାଟ ପାଏ-ଅଧେ ଛାଡ଼ି

 

ଜଳି ଉଠେ ଧାଡ଼ି ଧାଡ଼ି

ମଝି ପାଟେ ପିତାଶୁଣୀ ନଆଁ

ହମ୍ବା ଏଣେ ଶୁଣି ଘରେ

 

ପଦ ଚାଳି ତରତରେ

ବସନେ କା ଲାଗେ ଗୁଗୁଚିଆ ।

 

କ୍ଷୀଣସ୍ରୋତା ନଦୀ ପାଖେ

 

ପଲ୍ଲବିତ ବଟଶାଖେ

ଅନ୍ଧକାର ପଡ଼େ ଯେହ୍ନେ ଝୁଲି

ବିଜନେ ମୁଁ ଦେଖେଁ ବସି

 

ବନଶିରେ ତରା ଖସି

ଆପଣାକୁ ଯାଏ ଯେହ୍ନେ ଭୁଲି ।

 

ଗାଆଁ ଭାଗବତ ପୀଠେ

 

କୋଳାହଳ ଜମି ଉଠେ

ମୁରଜରେ ‘ଜଗନ୍ନାଥ ବାଣୀ’

ଏଣେ ଗୃହେ ଶିଶୁ କାହିଁ

 

ଜେଜିମାର କୋଳେ ଶୋଇ

ଶୁଣେ ‘ବୁଢ଼ୀ ଅସୁରୀ କାହାଣୀ’ ।

 

 

ଝରାଇ ଲାବଣ୍ୟଝରା

 

ହସନ୍ତି ଦୁଇଟି ତାରା

ପରସ୍ପରେ ହୋଇ ଚାହାଁଚୁହିଁ

ଅଣାୟତେ ଆଜି ଯେହ୍ନେ

 

ସଞ୍ଜର ଏ ରୂପାୟନେ

ହଜିଅଛି ନିଜମଧ୍ୟେ ମୁହିଁ ।

 

ସବୁଜପ୍ରୀତି

‘ବନା’ ସେ ଗାଈଆଳ

 

ଗାଆଁର ଆମ

ବୟସ କଟେ ତାର ବିଲେ

ନ ଭୋଗେ ରଜାପୁଅ

 

ତା ସୁଖ ଦିନେ

ଅତୁଳ ଧନ କୋଳେ ଥିଲେ ।

 

ନିରାଟ ବଇଶାଖେ

 

ଗଛଟି ତଳେ

ପାଚଲା ଗାମୁଛାଟି ପାରି

ଭୁଜର ଉପାଧାନେ

 

ମଥାଟି ଥୋଇ

‘ହମିଦ ଗୀତ’ ଦିଏ ଛାଡ଼ି ।

 

ଶରତେ କେଉଁ ଦିନ

 

ଭେଟିବ ତାକୁ

ପଦୁଅଁ ଗଡ଼ିଆରେ ବନା

ନିଇତି ମାଡ଼ ଖାଇ

 

ସାଆନ୍ତ ଘରୁ

ଭାଙ୍ଗିନି ଖୋଇ ଷୋଳ ଅଣା ।

 

ଫଗୁଣ ବିଲେ କେବେ

 

ଅଣ୍ଟିରେ ଭରି

ଚୋବାଉଥିବ ଚଣାଛୁଇଁ

ବଇଁଶୀ ତାନ ତାର

 

ଶୁଣିଲେ ନିଦୁଁ

ଉଠଇ ଅପନ୍ତରା ଭୂଇଁ ।

 

ପୋଖରୀ ଗୋଳା ଦିନ

 

‘‘ରେ ବନମାଳୀ’’

ଗାଆଁରୁ ପଡ଼ିବ ଯେ ଡକା

ବିନା ଖିଅରେ ବଣ-

 

କଟାଶ ପରି

ମାଛ ସେ ଧରିବାରେ ପକ୍କା ।

 

ଝଡ଼ିଆ ପାଗେ ବନା

 

ପଖିଆ ମୁଣ୍ଡେ

ବିଲରୁ ବାଛୁଥିଲେ ଘାସ

କାନ୍ଦୁରା ବନ ତୋଟା

 

ଶ୍ରବଣ ଡେରି

ଶୁଣନ୍ତି ‘ସୀତା ବନବାସ’ ।

 

ନଖଣ ବାଉରୀର

 

ମଝିଆଁ ଝିଅ

‘ପିତେଈ’ ତାର ଡାକ ନାଆଁ

ସୁଧୀର ମିଜାଜର

 

ଏସନ ପିଲା

ନ ଥିବ ଦଶଖଣ୍ଡି ଗାଆଁ ।

 

ଓପର ତଳ ମରି

 

‘ଅଇଁଠା’ ଖଣ୍ଡେ

କାଣୀ ଆଖିର କଳା ଧାରେ

ବିଧୁର ପିତା ମାତା

 

ତିକତ ମନ-

‘ପିତେଈ’ ଡାକନ୍ତି ଯେ ତାରେ ।

 

ମାଠିଆ କାଖେ ଧରି

 

‘ପିତେଈ’ ଫେରେ

କାହାର ଏ ବଇଁଶୀ ନାଦ

ପହିଲି ଯଉବନେ

 

ଡାକ ତା ଶୁଣି

ଆଗକୁ ନ ଚଳଇ ପାଦ ।

 

ସମୟ ବୁଝି ଗୀତ

 

ଛାଡ଼ିଚି ବନା

ରସରସିଆ ଆଖୁ ପରି

‘ବନା’ର ପାଶେ ଏବେ

 

‘ପିତେଈ’ ଉଭା

ଅମାପ ଉଦବେଗ ଧରି ।

 

ଖୋଷଣି କରାଟରୁ

 

ଦୋକତା ଟିପେ

ବଢ଼ାଇ ଦେଉଁ ବନା ହାତେ

ଅଳପେ କାଶି ବନା

 

କହଇ ତାରେ

‘‘ତୁ କାଳେ ‘ଗୋବରା’ର ସାଥେ

 

ଆଗତ ଏ ନଗନେ

 

ଯାଉଚୁ-ଆଉ

ପତର ଯାଚିବ ଲୋ କିଏ

ଅଦିନ ମଳୟ କି

 

ଅଫୁଟା ଫୁଲେ

ଅଳପ ଦୋହଲାଇ ଦିଏ !’’

 

 

ଶୁଣି ତା ‘ପିତେଈ’ର

 

ମାନସ-ତରୀ

ନ ମାନେ ବିବେକର କାତ

ସେପାରି ତୀରୁ ଟାଣେ

 

ପ୍ରଣୟ-ସୁଅ

ଏପଟେ ସମାଜର ହାତ ।

 

କିବା ମନ୍ତର ସତେ

 

‘ପିତେଈ’ କାନେ

ଫୁଙ୍କିଲା ‘ବନା’ ବେଣୁ-ନାଦ

ଚିରଦିନ ପାଇଁକି

 

ସପନ ହେଲା

ଗାଆଁରେ ସେ ବେନିଙ୍କ ପାଦ ।

 

ଜ୍ୟୋତ୍ସାବିହାର

ଶରତର ସଞ୍ଜ ଆଜି କି ଆବେଶେ ଚାହେଁ

ଗୃହଫେରା କାନ୍ତମୁଖ ଦେଖିଲା ପରାୟେ

ସହସା ଦୁଆର ପାଶେ

ଆଡ଼ଲାଜ, ଆଡ଼ହାସେ

ଥରଥର ଛାତି ପରି ସମୀରକମ୍ପନ

ଛୁଇଁଯାଏ ରହି ରହି ନଈ ବିଲ ବନ ।

ବେନି ପାଶେ ଉଭା ତରୁ ପ୍ରହରୀ ପରାୟେ

ଦୂର ବଂଶୀସ୍ୱନ ପ୍ରାଣେ ପୀୟୂଷ ଝରାଏ ।

ଚାନ୍ଦିନୀ-ଚାନ୍ଦୁଆ ତଳେ

ବିମଳ ତଟିନୀ ଜଳେ

ଢେଉ ନାଚେ ତାଳେ ତାଳେ ମୃଦୁ ଫେନାୟିତ

ଠେଲି ତାରେ ତୀରବେଗେ ଚାଲେ ମୋ ବୋଇତ ।

ଦେଖେଁ ମୁଁ ବିମୁଗ୍‌ଧନେତ୍ରେ ଦୂରେ ଗିରିକୂଟ

ହସଇ ଯେସନେ ପିନ୍ଧି      ରଜତ-ମୁକୁଟ

ନଟିନୀ ବାଳିକା ସରି

ଝରଣାଟି ପଡ଼େ ଝରି

ଧାଏଁ ନଦୀବୁକେ ନୀର କରି ଏକଜୁଟ

ଦେଖେଁ ମୁଁ ବିମୁଗ୍‌ଧନେତ୍ରେ ଦୂରେ ଗିରିକୂଟ ।

 

ତଟିନୀ-ଉରସେ ହେରି ମୃଦୁଳ ମତ୍ତଜା

ତଟ-ତରୁ ମନେ ଜାଗେ ଶ୍ରାବଣର ବ୍ୟଥା

ବାଚାଳ ଟିଟ୍ଟିଭ ଦୂରେ

କା ଲାଗି ଆକାଶେ ଝୁରେ

ଚମକି ଉଠେ ତା ସୁରେ ସୁପ୍ତ ନୀରବତା

ତଟିନୀ-ଉରସେ ଖେଳେ ମୃଦୁଳ ମତ୍ତତା ।

 

ସଲିଳ-ମୁକୁରେ ଚାହେଁ ବୁକୁ ଭରି ହସି

ଆଶ୍ୱିନ-ପ୍ରସାଦ-ମୁଗ୍‌ଧା ଚାନ୍ଦିନୀ-ରୂପସୀ

ସହସା କି ସ୍ୱପ୍ନ ଦେଖି

ସମୀରେ ଉରୁଣା ଟେକି

କା ଧିଆନେ ବନବଧୂ ଉଠିଛି ଉଲ୍ଲସି

ଯୌବନ-ଜୁଆରେ ନାଚେ ଚାନ୍ଦିନୀ-ରୂପସୀ ।

 

ସୁଷୁପ୍ତି-ସାଗରୁ ଉଠି ଦେଖେ ବସୁମତୀ

ଅବସାନ ରଜନୀର ଅରୁଣ ଆରତି ।

ସୁଦୂର ପରାଚୀ ଭାଗେ

ପ୍ରଥମ ଆଲୋକ ଜାଗେ

କୁମୁଦିନୀ ଚଦୁପଦେ ତାଳଇ ପ୍ରଣତି

କାନ୍ତା ଯଥା ପରବାସ-ଚଳା କାନ୍ତପ୍ରତି ।

 

ବିଗତ ବରଷା ଦେଖି ଶୁଣିଯାଏ ନୀପ

ନିଭଇ ସଭୟେ ତାର ସୋହାଗ-ପ୍ରଦୀପ

ସୁଖର ସୁଦିନ ଯେତେ

ଚିନ୍ତାରେ କି ଫେରେ ସତେ

ତଥାପି ଅବୁଝା ପ୍ରାଣ ଲଙ୍ଘି ଖାଲ ଢିପ

ଆଶା ରଖେ ଜାଳିବାକୁ ସୋହାଗ-ପ୍ରଦୀପ ।

 

ତଟିନୀର ଧାରେ କାହିଁ ଠାବେ ଠାବେ କିଆ

ବିରହ-ବିଧୁରା ସମ            ହୋଇଅଛି ଠିଆ

ଜୋଛନା ହସଇ ଦୂରେ......

ଶରତ ମରତ-ପୁରେ

କାଶବନେ ହସି ବୁଲେ      ଫୁଲାଇ ତା ହିଆ

ବରଷାରେ ଝୁରି କାନ୍ଦେ ବିରହିଣୀ କିଆ ।

 

କୂଳ ଛୁଇଁବାକୁ ତରୀ ବହୁ ଦୂର ବାକୀ

ଖୋଲି ପୁଣି ଖୋଲି ନାହିଁ ପ୍ରଭାତର ଆଖି

ପକ୍ଷୀ ଉଠି ଉଠି ନାହିଁ

ଯହିଁ ବନ ଘନ ଛାଇ

ସମୀରଣ ମାରେ ହାଇ ଅଳସ ଉପେକ୍ଷି

ସୁପ୍ତା ପ୍ରକୃତିର ଛବି ଯାଏଁ ଦେଖି ଦେଖି ।

 

ଅଛିଣ୍ଡା ଗୀତର ତାନ ଧରି ପଦେଅଧେ

ତଟଧାରେ ବିଦେଶୀ କେ ଚଳେ ଜନପଦେ

ଜୀବନେ ପ୍ରଥମ ସୁଖ

ନେତ୍ରେ ଭାସେ ପ୍ରିୟାମୁଖ

ଦୂରୁଦୂରୁ ପଡ଼େ ବୁକ କି ଉଲ୍ଲାସମଦେ

ଭେଟିବାକୁ କୁଟୀରେ ତା ନୟନ-ସମ୍ପଦେ ।

 

ଉଷା

ଗୋରା ମାଳତୀର            ଚୋରା ସୌରଭ

ଆସେ ବହି

‘‘ଉଠ ସଂଗାତ’’ କହି କହି

ଖଞ୍ଜନ ଡାକେ ଡାହୁକରେ

‘‘ଚାହାଁଟି କେସନେ            ନାଲି ଛୁଁଚ ଦିଏ

ଉଷାବଧୂ ତାର ପ୍ରାଚୀ-ଘରେ ।’’

ଚାହିଁ କାହା ମୁଖେ            କି ଭାଳି କେଜାଣି

ତାରାଟିଏ

ମଉନେ ଅଳପ ହସିଦିଏ

ମୁଖ ହେରି ନଦୀ ଥିର ଜଳେ

ନିଶିର ଶିଶିର            ହସେ ଦର ଦର

ବନ ତମାଳର ଶ୍ୟାମ ଦଳେ ।

ବିରହ-ବେଦନେ            ଚକୋର ବିଳପେ

କଇଁକଇଁ

ଆକୁଳ ନୟନେ ମୁଖ ନଇଁ

‘‘ରଜନୀ ତ ଆସି ହେଲା ଭୋର

ସୂରୁଯ ଦେବତା            ଟେକିଲେଣି ମଥା

ନ ଫେରିଲା କିଆଁ ପ୍ରିୟା ମୋର ?’’

 

ନବ ରବି-କରେ            ତାଳବନ ଧରେ

ରୂପା ଛତା

ଅନାଏ ଚମକି ତରୁ-ଲତା

ଶୁଣି ଗୋପସୁତ ବେଣୁ ତାନ

ନିଦୁଆ ପବନେ            ଢୋଳେଇ ଢୋଳେଇ

ମୁରୁକି ହସଇ ବାଳଧାନ ।

 

ଉଷା ତରୁଣୀର            ଗୋଲାପୀ ତୂଣୀର

ବିହାୟସେ

ପିଙ୍ଗି ରଶ୍ମି-ଶର ହସେ

ଏତେବେଳେ କ୍ଷୀଣ ନଦୀବୁକେ

ତରତର ବେଗେ            ତରଣୀଟି କାର

ଭାସି ଭାସି ଯାଏ ସୁଅମୁଖେ ।

 

ପ୍ରଭାତ-ନିକଷେ            ହେମ ରାଗେ ହସେ

ଅରୁଣିମା

ନିରେଖି ଉଜଳ ପ୍ରାଚୀ ସୀମା

ସପନ ଉଠଇ ଚରାଚର

ନିଭିଯାଏ କାହିଁ            ନାଲି ଛୁଁଚ ଦାଗ

ଭାଜିଯାଏ ଉଷା ଖେଳଘର ।

 

ଛୋଟରେ ବଡ଼

ଛୋଟ ଛୋଟ ଫୁଲ

ଛୋଟ ଛୋଟ ଶ୍ୟାମ ଘାସ

ଟିକି ଓଠଧାରେ

ନାଲି ଗୁଲୁଗୁଲୁ ହାସ

ଛୋଟ ତରାଟିରେ

ମିଟିମିଟି ଆଖିଠାର

ଓଦା ଆଖିତଳେ

ସରୁ ସରୁ ଲୁହ ଗାର

ଛୋଟ ପ୍ରଦୀପର

ସ୍ନିଗ୍‌ଧ ସ୍ତିମିତ ଜ୍ୟୋତି

କଅଁଳ କୁସୁମେ

ଛୋଟ ହିମକଣା ମୋତି

ପ୍ରଜାପତି ଦେହେ

ଟୋପିଟୋପି ଛୋଟ ଚିତା

ଛୋଟ ଧୂଳିକଣା

ଛୋଟିଆ ବରଷା ଛିଟା

ଆଖି କହେ ଯାକୁ

ସୃଷ୍ଟିରେ ଅତି ସାନ

ମନ ପାଏ ତହିଁ

ବିରାଟର ସନ୍ଧାନ

 

ବିଳାସ କଳ୍ପନା

ସପନ ରାଇଜେ ବିହରି ତରୁଣ କବି ।

ଲେଖନୀରେ ଯେତେ ଫୁଟାଇଲ ଚାରୁଛବି

ତା ମଧୁ ଛନ୍ଦ, ପ୍ରାଣବିମୋହନ ରସ

ବିଳାସୀ ହୃଦୟେ ନିମିଷକେ କଲା ବଶ ।

 

ସଂଗୀତେ ତବ ନବ ଯେ ବନ ନିଶା

ଢାଳିଗଲା ଯେଉଁ ମୋହନ ମାଦକ ଦିଶା

ଶ୍ରବଣେ କରି ସେ କଳ୍ପନା-ମଧୁ ପାନ

ବିଶ୍ୱେ ତୁମର ଦେଖାଇଲ ଅବଦାନ ।

 

ଯେଉଁ ନାୟିକାରେ କାବ୍ୟରେ ଦେଲ ଥାନ

କଣ୍ଠୁ ଝରେ ତା କିନ୍ନରୀ କଳଗାନ ।

ମୂର୍ତ୍ତ କରିଲ ଯେ ଭୂଷଣେ ନାୟକରେ

କାମଦେବ ସମ ପଞ୍ଚବାଣ ସେ ଧରେ ।

 

ମଳୟ ସଙ୍ଗେ ଲକ୍ଷ ଫୁଲର ବାସ

କଳ୍ପନା-ବନେ ଖେଳାଇ ଗଲାକ ରାସ

ଲେଖନୀରେ ତବ ଛନ୍ଦର ମାଦକତା

ରୂପ ଦେଲା କୋଟି ଆକାଶରୁ ତୋଳି କଥା ।

 

ସ୍ନିଗ୍‌ଧ ଶେଫାଳୀ, ଶୁଭ୍ର ଜୋଛନା ରାତି

କବି ଜୀବନର ହେଲ ତବ ପ୍ରିୟ ସାଥୀ

ପ୍ରକୃତି ସ୍ନେହେ କହିଲା ତୁମରେ ‘‘ପ୍ରିୟ !

ସୋହାଗର ଶତ ଅର୍ଘ୍ୟ ମୋ କରୁଁ ନିଅ ।’’

 

ଡାକିଲା କୋକିଳା କାନନଉଆସରାଣୀ

ଶ୍ରବଣେ ତୁମର ଢାଳି କଳ ଲୋଳ ବାଣୀ

ବଉଳର ନୂଆ କଅଁଳ ସାଉଁଳା ବାସ

ଧାଇଁଲା ସହଳେ ଛାଏଁ ଛାଏଁ ତୁମ ପାଶ ।

 

କଳ୍ପନା ତୂଳୀ ଧରି କେତେ ଦିନ କବି !

ଚିତ୍ରୁଥିବ ଏ କୁହୁକ-ରାଇଜ ଛବି ?

ଦେଖ ଦେଖ ଥରେ ଦୁଃସ୍ଥା ରମଣୀ ଦିହ

ହେ ମଣି କେସନେ ଅନଶନେ ସୂତାଖିଅ ।

 

ବେଦନା ଦୈନ୍ୟେ ଶୀର୍ଣ୍ଣ ଯାହାର ମୁହଁ

ସିଏ କି ତୁମର ଯୋଗ୍ୟ ନାୟକ ନୁହଁ ?

ହଜିଅଛି ଓଠୁଁ ଚିରଦିନ ଯାର ହାସ

ଭାବିଚ କି ଦିନେ କରୁଣ ତା ଇତିହାସ ?

 

ରକତ ଢାଳେ ସେ ବିସୋରି ଆପଣା ସୁଖ

ତା ପାଇଁ ତୁମର ଲେଖନୀ ରହିଲା ମୂକ ?

ଦିନେ ତ ତାହାର ନୂଆଁଣି କୁଟୀରେ ଚାହିଁ

ଜନ ସମ୍ମୁଖେ ପଦିଏ ଗାଇଲ ନାହିଁ ?

 

ଆମୋଦ ଢାଳଇ ତୁମରେ ଯେ ଝଡ଼ ରାତି

ବିଦାରଇ ସେହୁ ଅଭାଗା ଶ୍ରମିକ ଛାତି

ଶାରଦୀ ସ୍ୱପ୍ନ ନବ ଫାଲ୍‌ଗୁନୀ ରାସ

ଦେଖିବାରେ ତାର କାହିଁ ଅବା ଅବକାଶ

 

ତୁମେ କହ ଯାରେ ସ୍ୱପ୍ନିଳ ବାରବାଟୀ

ତା ନୟନେ ସେ ଯେ ରୁକ୍ଷ ଧୂସର ମାଟି

ତୁମେ କହ ଯାରେ ମୂଢ଼ ଦୀନ ମଜୁରିଆ

ସେ ଭାବେ ତା ପାଇଁ ବଞ୍ଚିଚି ଏ ଦୁନିଆଁ ।

 

ମଣିଷ ମଧ୍ୟେ ଆତ୍ମା ରାଜଇ ଏକ

ନ ଥାଉ ପଛେ ତା ସମ୍ମାନ ଅବା ଟେକ

ନିତ୍ୟ ଯେ ଦେଖେ ନିରାଶା ମରୁର ବାଲି

ରକତ ତାର ବି ତୁମରି ସମାନ ନାଲି